ଜେଟ୍‌କୁ କିଣି ନପାରେ ଟାଟା!

ନୂଆଦିଲ୍ଲୀଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଜେଟ୍‌ ଏୟାରୱେଜ୍‌କୁ କିଣିବା ଲାଗି ଟାଟା ଗ୍ରୁପ୍ ପକ୍ଷରୁ କୌଣସି ବିଧିବଦ୍ଧ ପ୍ରସ୍ତାବ ଦିଆଯାଇନାହିଁ। ଟାଟା ଗ୍ରୁପ୍ ପକ୍ଷରୁ ଗତ ଶୁକ୍ରବାର ଦିଆଯାଇଥିବା ଏହି ମନ୍ତବ୍ୟ ଜେଟ୍‌ ଏୟାରୱେଜ୍‌ ଉପରେ ବଡ଼ ପ୍ରଭାବ ପକାଇଛି। ଜେଟ୍‌ ଏୟାରୱେଜ୍‌ର ସେୟାର ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ଟାଟା କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ, ଜେଟ୍‌ ଏୟାରୱେଜ୍‌କୁ କିଣିବା ପାଇଁ ଟାଟା ଆଗ୍ରହୀ ଅଛି। କିନ୍ତୁ ଏ ନେଇ କୌଣସି ବିଧିବଦ୍ଧ ପ୍ରସ୍ତାବ ଦିଆଯାଇ ନାହିଁ। ଏ ସମ୍ପର୍କିତ ଆଲୋଚନା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ବୋଲି ଟାଟା ସନ୍ସ କହିଥିଲା। ଅନ୍ୟପକ୍ଷରେ ରବିବାର ମୁମ୍ବାଇ ବିମାନ ବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଣ କରିବାକୁ ଥିବା ୧୦ଟି ବିମାନକୁ ବାତିଲ କରି ଦିଆଯିବା ଯୋଗୁ ଶହ ଶହ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପରିଚାଳନାଗତ ସମସ୍ୟା ଯୋଗୁ ବିମାନ ବାତିଲ ହୋଇଥିବା ଜେଟ୍‌ ଏୟାରୱେଜ କହୁଥିଲେ ମଧ୍ୟ ପାଇଲଟ୍‌ଙ୍କ ଅଭାବ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି।

ପ୍ୟାକେଜ୍ ଦେବା ଯୋଜନା ନାହିଁ: ମନ୍ତ୍ରୀ
ନୂଆଦିଲ୍ଲୀ: ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଜେଟ୍‌ ଏୟାରୱେଜ୍‌କୁ ସରକାରଙ୍କ ପକ୍ଷରୁ ବସ୍ତୁତଃ କୌଣସି ପ୍ୟାକେଜ ‌ଦିଆଯିବାର ସମ୍ଭାବନା ନାହିଁ। ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ। କମ୍ପାନି କିଭଳି ଠିକ୍‌ ଭାବେ ଚାଲିବ ତାହାକୁ କମ୍ପାନିର ବୋର୍ଡ ଓ ପରିଚାଳନା କର୍ତ୍ତୃପକ୍ଷ ‌ଦେଖିବେ। ଏୟାରପୋର୍ଟ ଅପରେଟରମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଲାଗି ଅଧିକ ସମୟ ଜେଟ୍‌ ଏୟାରୱେଜ ମାଗିଥିବା ପ୍ରସଙ୍ଗରେ ମଧ୍ୟ ସରକାର ହସ୍ତକ୍ଷେପ କରିବେ ନାହିଁ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଜେଟ ଏୟାରୱେଜ୍‌ର ପାଇଲଟମାନେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଧମକ ଦେଇଛନ୍ତି। ସେମାନଙ୍କ ବକେୟା ଦରମା ଆସନ୍ତା ୩୦ ତାରିଖ ସୁଦ୍ଧା ପ୍ରଦାନ କରାନଗଲେ ଆସନ୍ତାମାସରୁ ସେମାନେ ଅତିରିକ୍ତ କାର୍ଯ୍ୟ କରିବେ ନାହିଁ ବୋଲି ଶୁଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର