ଟାଟାକୁ ମିଳିଲା ଭୂଷଣ ଷ୍ଟିଲ୍‌

ନୂଆଦିଲ୍ଲୀ: ଦେବାଳିଆ ହୋଇଯାଇଥିବା ଭୂଷଣ ଷ୍ଟିଲ୍‌କୁ ଟାଟା ଷ୍ଟିଲ୍‌ ହାସଲ କରିଛି। ଭୂଷଣ ଷ୍ଟିଲ୍‌କୁ ବିକ୍ରି କରିବା ପାଇଁ ଯେଉଁ ନିଲାମ ପ୍ରକ୍ରିୟା ଚାଲିଥିବା ସେଥିରେ ଟାଟା ବିଜୟୀ ହୋଇଥିବା ପ୍ରକାଶ କରିଛି। କେତେକ ଟଙ୍କାରେ ଭୂଷଣ ଷ୍ଟିଲ୍‌କୁ ଟାଟା ଖରିଦ କରିଛି ତାହା ଜଣାଇ ନାହିଁ। କିନ୍ତୁ ଏହି ଅଧିଗ୍ରହଣର ମୂଲ୍ୟ ୩୫ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସମ୍ପୂର୍ଣ୍ଣ ନଗଦ ରାଶିରେ ଏହି କାରବାର ହୋଇଛି। ଦେଶ ଭିତରେ ଏହା ଟାଟା ଷ୍ଟିଲ୍‌ର ସବୁଠୁ ବଡ଼ ଅଧିଗ୍ରହଣ। କଂପାନିର ପୂର୍ବତନ ମୁଖ୍ୟ ସାଇରସ୍‌ ମିସ୍ତ୍ରୀ ବିଦା ହେବା ପରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କ ପାଇଁ ଏହା ଏକ ବଡ଼ ଧରଣର ସଫଳତା।

ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଦେଶର ସବୁଠୁ ବଡ଼ ଇସ୍ପାତ କଂପାନି ହେବ ଟାଟା ଷ୍ଟିଲ୍‌। ଏବେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ ରହିଛି। ବର୍ତ୍ତମାନ ଟାଟା ଷ୍ଟିଲ୍‌ର ମୋଟ ବାର୍ଷିକ ଉତ୍ପାଦନ କ୍ଷମତା ୧୩ ନିୟୁତ ଟନ୍‌ ରହିଛି। ଭୂଷଣ ଷ୍ଟିଲ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ହେଛି ୫.୬ ନିୟୁତ ଟନ୍‌। ଭୂଷଣ ଅଧିଗ୍ରହଣ ଶେଷ ହେବା ପରେ ଟାଟା ଷ୍ଟିଲ୍‌ର ମୋଟ ଉତ୍ପାଦନ କ୍ଷମତା ୧୮.୬ ନିୟୁତ ଟନ୍‌ ହେବ। ଭୂଷଣ ଅଧିଗ୍ରହଣ ପାଇଁ ସର୍ବାଧିକ ବିଡ୍‌ ଦାଖଲକାରୀ ଭାବେ ଟାଟା ଷ୍ଟିଲ୍‌କୁ ଚୟନ କରାଯାଇଛି। ତେବେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି) ଓ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ର ମଞ୍ଜୁରି ମିଳିବା ପରେ ଏହି ଅଧିଗ୍ରହଣ ସମ୍ଭବପର ହେବ। ବିଭିନ୍ନ ବ୍ୟାଙ୍କଠାରୁ ନେଇଥିବା ୪୮,୧୦୦ କୋଟି ଟଙ୍କା ଶୁଝି ନପାରିବା ପରେ ଭୂଷଣ ଷ୍ଟିଲ୍‌ ନିଜକୁ ଦେବାଳିଆ ଘୋଷଣା କରିଥିଲା। ଏହି ମାମଲାର ବିଚାର ଏନ୍‌ସିଏଲ୍‌ଟିରେ ଚାଲିଥିଲା। କଂପାନିକୁ ନିଲାମ କରି ବ୍ୟାଙ୍କଗୁଡ଼ିକର ଅର୍ଥରାଶି ଆଦାୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଲାମ ପ୍ରକ୍ରିୟା ପାଇଁ ଟାଟା ଷ୍ଟିଲ୍‌ ସମେତ ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ ଓ ଏକ ଘରୋଇ ଇକ୍ୱିଟି ସଂସ୍ଥା ସହଯୋଗରେ କଂପାନିର କିଛି କର୍ମଚାରୀ ମଧ୍ୟ ବିଡ୍‌ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର