କୋଲକାତା ସ୍ଥାନାନ୍ତର ହେବ ଟାଟା ସ୍ପଞ୍ଜ କାର୍ଯ୍ୟାଳୟ

କୋଲକାତା: ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡର ପଞ୍ଜୀକୃତ କାର୍ଯ୍ୟାଳୟ ଓଡ଼ିଶାର କେନ୍ଦୁଝରରୁ କୋ‌ଲକାତାକୁ ସ୍ଥାନାନ୍ତର ହେବ। କମ୍ପାନିର ବୋର୍ଡ ଏହି ପଞ୍ଜୀକୃତ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ମଞ୍ଜୁରି ଦେଇଛି ବୋଲି ଟାଟା ସ୍ପଞ୍ଜ ଆଇରନ୍ ପକ୍ଷରୁ ଏହି ରେଗୁଲେଟୋରି ଫାଇଲିଂରେ କହିଛି। ତେବେ କମ୍ପାନିର ଅନ୍ୟ ସଦସ୍ୟ ଏବଂ ଅନ୍ୟ ନିୟାମକ ସଂସ୍ଥାର ମଞ୍ଜୁରି ଉପରେ ଏହା ନିର୍ଭର କରେ। ଉଲ୍ଲେଖଯୋଗ୍ୟ ଯେ, ଟାଟା ସ୍ପଞ୍ଜ ଆଇରନର ୩୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଆସନ୍ତା ଜୁଲାଇ ୧୫ ତାରିଖରେ କେନ୍ଦୁଝରରେ ଅନୁଷ୍ଠିତ ହେବ। ଷ୍ଟକ ଏକ୍ସଚେଞ୍ଜକୁ ଟାଟା ସ୍ପଞ୍ଜ ଆଇରନ ଦେଇଥିବା ସୂଚନା ଅନୁଯାୟୀ, ବୋର୍ଡ ମଧ୍ୟ କମ୍ପାନିର ନାମ ପରିବର୍ତ୍ତନ କରି ଟାଟା ଷ୍ଟିଲ୍ ଲଙ୍ଗ ପ୍ରଡକ୍ଟସ ଲିମିଟେଡ ରଖିବା ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ନିକଟରେ ଟାଟା ଷ୍ଟିଲର ଏହି ସହାୟକ କମ୍ପାନି କୋଲକାତାଭିତ୍ତିକ କମ୍ପାନି ଉଷା ମାର୍ଟିନ୍ ଲିମିଟେଡର ଇସ୍ପାତ ବ୍ୟବସାୟକୁ ଅଧିଗ୍ରହଣ କରିସାରିଛି। ୧୯୮୨ ମସିହାରେ ଟାଟା ଷ୍ଟିଲ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ଅଫ୍ ଓଡ଼ିଶା ଲିମିଟେଡ (ଇପିକଲ) ମଧ୍ୟରେ ଯୌଥ ଉଦ୍ୟୋଗରେ ସ୍ଥାପନ ହୋଇଥିଲା। ତେବେ ୧୯୯୧ରେ ଏହି ଯୌଥ ଉଦ୍ୟୋଗରେ ଇପିକଲର ଥିବା ଅଂଶଧନକୁ ଟାଟା ଷ୍ଟିଲ୍ କିଣି ନେଇଥିଲା। ଫଳରେ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ ସମ୍ପୂର୍ଣ୍ଣ ଭାବେ ଟାଟା ଷ୍ଟିଲର ସହାୟକ କମ୍ପାନିରେ ପରିଣତ ହୋଇଥିଲା।

ସମ୍ବନ୍ଧିତ ଖବର