କଳିଙ୍ଗନଗର ପ୍ଲାଣ୍ଟର ସଂପ୍ରସାରଣ କରିବ ଟାଟା, ମୋଟ କ୍ଷମତା ହେବ ୮ ନିୟୁତ ଟନ

ଭୁବନେଶ୍ୱର : ଦେଶର ପ୍ରମୁଖ ଷ୍ଟିଲ କମ୍ପାନି ଟାଟା ଷ୍ଟିଲ ନିଜ ଓଡ଼ିଶା ପ୍ଲାଣ୍ଟର ସଂପ୍ରସାରଣ କରିବ । ଏଥିଲାଗି କମ୍ପାନିକୁ ବୋର୍ଡ ଅଫ ଡାଇରେକ୍ଟର ମଂଜୁରୀ ମିଳିଛି । ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟର ବର୍ତ୍ତମାନ କ୍ଷମତା ୩ ନିୟୁତ ଟନ ଥିବାବେଳେ ୨ୟ ପର୍ଯ୍ୟାୟ ସଂପ୍ରସାରଣରେ ଆଉ ୫ ନିୟୁତ ଟନ କ୍ଷମତା ଯୋଡାଯିବ । ଏହି ସଂପ୍ରସାରଣ ଯୋଜନାରେ କମ୍ପାନି ପ୍ରାୟ ୨୩,୫୦୦ କୋଟି ଟଙ୍କାର ନିବେଶ କରିବ । ଏହି ସଂପ୍ରସାରଣପରେ କମ୍ପାନିର ମୋଟ କ୍ଷମତା ୮ ନିୟୁତ ଟନକୁ ବୃଦ୍ଧି ପାଇବ ଏବଂ ଟାଟାର ଜାମସେଦପୁର ପ୍ଲାଣ୍ଟକୁ ମିଶାଇଲେ ମୋଟ ଷ୍ଟିଲ ଉତ୍ପାଦନ କ୍ଷମତା ୧୮ ନିୟୁତ ଟନକୁ ବୃଦ୍ଧି ପାଇବ । ନିର୍ମାଣ ଆରମ୍ଭ ହେବାର ପ୍ରାୟ ୪୮ ମାସପରେ ଅର୍ଥାତ ୪ ବର୍ଷ ପରେ ଏହି ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି କମ୍ପାନି ପକ୍ଷରୁ ଅଟକଳ କରାଯାଇଛି ।

 

ଟାଟା ଗତ ୨୦୧୫ ନଭେମ୍ବର ମାସରେ ନିଜର କଳିଙ୍ଗନଗର ଷ୍ଟିଲ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ କରିଥିଲା । ଏବେ କମ୍ପାନି ନିଜର କଳିଙ୍ଗନଗର ପ୍ଲାଣ୍ଟର ପ୍ରାୟ ୧୦୦ ପ୍ରତିଶତ କ୍ଷମତା ଉପଯୋଗ କରୁଛି । ୨ୟ ପର୍ଯ୍ୟାୟ ସଂପ୍ରସାରଣ ପରେ ଟାଟା ନିଜ ପ୍ଲାଣ୍ଟରୁ ମୁଖ୍ୟତଃ ସ୍ୱତନ୍ତ୍ର ଧରଣର ଷ୍ଟିଲ ବିଶେଷକରି ଅଟୋମୋବାଇଲ ଶିଳ୍ପ ଆବଶ୍ୟକ କରୁଥିବା ସ୍ୱତନ୍ତ୍ର ଗୁଣମାନର ଷ୍ଟିଲ ଉତ୍ପାଦନ କରିବା ପାଇଁ ଯୋଜନା କରୁଛି ।

ଦେଶରେ ଏବେ ଜେଏସଡବ୍ଲୁ ଷ୍ଟିଲ ବୃହତ୍ତମ ଷ୍ଟିଲ କମ୍ପାନିର ମାନ୍ୟତା ପାଇଛି । ଏହାର କ୍ଷମତା ପ୍ରାୟ ୧୯ ନିୟୁତ ଟନ ରହିଛି । ତେବେ ଆସନ୍ତା ଆସନ୍ତା କିଛି ବର୍ଷରେ ଟାଟା ଷ୍ଟିଲ ଦେଶର ବୃହତ୍ତମ ଷ୍ଟିଲ କମ୍ପାନିର ମାନ୍ୟତା ପାଇବ । ନିଜର କ୍ଷମତା ସଂପ୍ରସାରଣ ଓ ଆଉ କେତେକ ଷ୍ଟିଲ କମ୍ପାନିର ଅଧିଗ୍ରହଣ ଦ୍ୱାରା କମ୍ପାନିର ମୋଟ କ୍ଷମତା ୨୦ ନିୟୁତ ଟନକୁ ଟପିଯିବ ।

ସମ୍ବନ୍ଧିତ ଖବର