ଏପ୍ରିଲ ପହିଲାରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ଟାଟା ଗାଡ଼ି

ମୁମ୍ବାଇ: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ଟାଟା ମୋଟର୍ସ ଆସନ୍ତା ଏପ୍ରିଲ ୧ରୁ ଦର ବୃଦ୍ଧି କରିବ । ବିଭିନ୍ନ ମଡେଲର ଦର ସର୍ବାଧିକ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଞ୍ଚାମାଲ ଓ ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟୟବୃଦ୍ଧି ପାଇଥିବାରୁ ଦର ବୃଦ୍ଧି କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । କମ୍ପାନି ଗତ ଜାନୁୟାରୀମାସରେ ମଧ୍ୟ ଦର ବଢାଇଥିଲା । ଏ ସଂପର୍କରେ ସୂଚନା ଦେଇ କମ୍ପାନିର ସଭାପତି, ଯାତ୍ରୀବାହୀ ବ୍ୟବସାୟ ବିଭାଗ, ମୟଙ୍କ ପାରିକ୍‌ କହିଛନ୍ତି ଯେ ବଦଳୁଥିବା ବଜାର ପାଣିପାଗ, କଞ୍ଚାମାଲ ଓ ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟୟବୃଦ୍ଧି ଓ କେତେକ ବାହ୍ୟ ଅର୍ଥନୈତିକ ପ୍ରଭାବ ଯୋଗୁଁ କମ୍ପାନି ଦରବୃଦ୍ଧି କରିବାକୁ ବାଧ୍ୟ ହୋଇଛି । ଆଗାମୀ ଦିନରେ କମ୍ପାନି ନିଜର ଅଭିବୃଦ୍ଧି ବଜାୟ ରଖିବ । କମ୍ପାନିର ସଫଳ ମଡେଲ ଯଥା ଟିଆଗୋ, ହେକ୍ସା, ଟିଗର୍‌ ଓ ନିକଟରେ ଲଞ୍ଚ କରାଯାଇଥିବା ନେକ୍ସନ ଆଦି ମଡେଲ ଦ୍ୱାରା କମ୍ପାନି ନିଜର ଅଭିବୃଦ୍ଧି ବଜାୟ ରଖିବ ବୋଲି ସେ କହିଛନ୍ତି । ନିକଟରେ ଅଡି ପକ୍ଷରୁ ମଧ୍ୟ ଦରବୃଦ୍ଧି ଘୋଷଣା କରାଯାଇଥିଲା । ଏପ୍ରିଲ ୧ରୁ ଅଡି କାର ଦର ୧ରୁ ୯ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ସମ୍ବନ୍ଧିତ ଖବର