ଚୀନ୍‌ ଢାଞ୍ଚାରେ ଲାଗିପାରେ ତେଲ କମ୍ପାନିଙ୍କ ଉପରେ ଟିକସ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ଲୋକଙ୍କୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାଟ ବାହାର କରିପାରି ନାହାନ୍ତି। ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ଓଏନ୍‌ଜିସି ଭଳି ଘରୋଇ ତୈଳ ଉତ୍ତୋଳନକାରୀ କମ୍ପାନିଙ୍କ ଉପରେ ଚୀନ୍‌ ଏବଂ ଅନ୍ୟ କେତେକ ବିକଶିତ ରାଷ୍ଟ୍ରରେ ଲାଗୁ ହେଉଥିବା ଢାଞ୍ଚାରେ ଟିକସ ଲାଗୁ କରିପାରନ୍ତି। ଏହାକୁ ଅପ୍ରତ୍ୟାଶିତ ଟିକସ ବା ଓ୍ଵିଣ୍ଡଫଲ ଟ୍ୟାକ୍ସ କୁହାଯାଉଛି। ଅଶୋଧିତ ତେଲ ଦର ଏକ ନିର୍ଦ୍ଦିଷ୍ଟ ସ୍ତରରୁ ଉପରକୁ ଗଲେ ତୈଳ ଉତ୍ତୋଳନକାରୀ କମ୍ପାନିଙ୍କଠାରୁ ଏହି ବାବଦ ଅର୍ଥ ସଂଗ୍ରହ କରାଯାଇ ଖୁଚୁରା ବିକ୍ରି କରୁଥିବା କମ୍ପାନିଙ୍କୁ ଯୋଗାଇ ଦିଆଯିବ। ଫଳରେ ସେମାନେ ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ତେଲ ବିକ୍ରି କରିପାରିବେ। ୨୦୧୨ରୁ ଚୀନ୍‌ ଏହି ସୀମାକୁ ୫୫ ଡଲାରରେ ଧାର୍ଯ୍ୟ କରିଛି। ତେଲର ବ୍ୟାରେଲ ପିଛା ୫୫ ଡଲାର ଟପିଲେ ସରକାର ଏହି ଟିକସ ସେମାନଙ୍କଠାରୁ ଆଦାୟ କରନ୍ତି। ବ୍ରିଟେନ୍‌ରେ ମଧ୍ୟ ଏ ପ୍ରକାର ଟିକସ ବ୍ୟବସ୍ଥା ରହିଛି। ସେଠାରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୫ ଡଲାର ଟପିଲେ ଏହି ଟିକସ ଲାଗୁ ହେଉଛି। ତେଲ ଦର ହ୍ରାସର ଏକ ଦୀର୍ଘମିଆଦୀ ସମାଧାନ ସୂତ୍ର ବାହାର କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ମଧ୍ୟ ଗ୍ରହଣ କରିପାରନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର