ଆଇଟି ପ୍ରଫେସନାଲଙ୍କ ପାଇଁ ଖୁସି ଖବର, ଏ ବର୍ଷ ୨୮ ହଜାର କ୍ୟାମ୍ପସ ନିଯୁକ୍ତି ଦେବ ଟିସିଏସ

ମୁମ୍ବାଇ : ଆଇଟି ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଦେଶର ସବୁଠୁ ବଡ଼ ସଫ୍ଟଓ୍ଵାର କମ୍ପାନି ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ୍‌) ଏ ବର୍ଷ ପ୍ରାୟ ୨୮ ହଜାର କ୍ୟାମ୍ପସ ନିଯୁକ୍ତି ଦେବ । ଗତ ଦୁଇ ବର୍ଷ ହେଲା କମ୍ପାନି ବାର୍ଷିକ ହାରାହାରି ପ୍ରାୟ ୨୦ ହଜାର ନିଯୁକ୍ତି ଦେଉଥିଲା । କିନ୍ତୁ ଏବର୍ଷ ଆଇଟି ସର୍ଭିସ କ୍ଷେତ୍ରରେ ଚାହିଦା ଭଲ ଥିବାରୁ କମ୍ପାନିର ବ୍ୟବସାୟ ବଢିଛି । ଫଳରେ କମ୍ପାନି ଅଧିକ ନିଯୁକ୍ତି ଦେବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ (ଏପ୍ରିଲ-ସେପ୍ଟେମ୍ବର)ରେ କମ୍ପାନି ପ୍ରାୟ ୧୬ ହଜାର କ୍ୟାମ୍ପସ ନିଯୁକ୍ତି ଦେଇ ସାରିଛି । କେବଳ ଜୁଲାଇ-ସେପ୍ଟେମ୍ବର ୩ ମାସରେ କମ୍ପାନି ୧୦,୨୨୭ ଟି କ୍ୟାମ୍ପସ ନିଯୁକ୍ତି ଦେଇଛି । ବୋଲି ସୂଚନା ଦେଇଛନ୍ତି କମ୍ପାନିର ମାନବ ସମ୍ବଳ ବିଭାଗ ମୁଖ୍ୟ ଅଜୟ ମୁଖାର୍ଜି କହିଛନ୍ତି । ଅର୍ଥାତ ଅବଶିଷ୍ଟ ୬ ମାସରେ କମ୍ପାନି ପ୍ରାୟ ୧୨ ହଜାର ନିଯୁକ୍ତି ଦେବ । ଏହି ସଂଖ୍ୟାରେ ଅଭିଜ୍ଞ ଓ ବରିଷ୍ଠ ସ୍ତରରେ ଦିଆଯାଇଥିବା ନିଯୁକ୍ତିକୁ ମିଶାଯାଇ ନାହିଁ । ଏଗୁଡ଼ିକୁ ମିଶାଇଲେ ନିଯୁକ୍ତି ସଂଖ୍ୟା ଆହୁରି ଅଧିକ ହେବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର