‘ଫନି’ ବାତ୍ୟା ପାଇଁ ଓଡ଼ିଶାରେ ଟିଡିଏସ୍ ଦାଖଲ ସମୟସୀମା ବଢ଼ାଇଲା ଆୟକର ବିଭାଗ

ଭୁବନେଶ୍ବର: ଓଡ଼ିଶା ପାଇଁ ଟିଡିଏସ ଦାଖଲର ସମୟସୀମା ବୃଦ୍ଧି କଲା ସେଣ୍ଟ୍ରାଲ ବୋର୍ଡ ଅଫ୍ଡାଇରେକ୍ଟ ଟ୍ୟାକସେସ୍ (ସିବିଡିଟି) । ଗତ ମେ ୩ ତାରିଖରେ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ ‘ଫୋନି’ ଯୋଗୁ ସାଧାରଣ ଜୀବନ ଗୁରୁତର ଭାବେ ଅସ୍ତବ୍ୟସ୍ତ ହୋଇପଡିଥିଲା ଏବଂ ଯୋଗାଯୋଗ ପ୍ରକ୍ରିୟା ବ୍ୟାହତ ହୋଇଥିଲା । ଏହା ଫଳରେ ଟିଡିଏସ ଡିଡକ୍ଟରମାନେ ମଧ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସିବିଡିଟି ଟିଡିଏସ ଅନୁପାଳନ ନୀତିକୁ କୋହଳ କରିଛି ।

୨୦୧୯ ଏପ୍ରିଲ ମାସ ପାଇଁ ଟିଡିଏସ ଦାଖଲ କରିବାର ତାରିଖ ମେ ୭ରୁ ମେ ୨୦କୁ ବୃଦ୍ଧି କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର ଟିଡିଏସ ଷ୍ଟେଟମେଂଟ ପୁରଣ କରିବାର ତାରିଖକୁ ମେ ୩୧ରୁ ଜୁନ ୩୦କୁ ବୃଦ୍ଧି କରାଯାଇଛି । ଫର୍ମ ୧୬ ଓ ଫର୍ମ ୧୬(କ)ର ଟିଡିଏସ ପ୍ରମାଣପତ୍ର ପ୍ରଦାନ କରିବାର ତାରିଖକୁ ୨୦୧୯ ଜୁନ ୧୫ରୁ ଜୁଲାଇ ୧୫କୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତରେ ଅଧିକ ଜାଣିବାକୁ ହେଲେ ଆୟକର ଆଇନ, ୧୯୬୧ର ବିଭାଗ ୧୧୯ ଅଧୀନରେ ୨୪.୦୫ ୨୦୧୯ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ www.incometaxindia.gov.in ରେ ଉପଲବ୍ଧ ହୋଇଛି ।

ସମ୍ବନ୍ଧିତ ଖବର