ସଙ୍କଟରେ ଟେଲିକମ୍‌ ଶିଳ୍ପ

ନୂଆଦିଲ୍ଲୀ: ଦେଶର ଟେଲିକମ୍‌ (ଦୂରସଂଚାର) ଶିଳ୍ପ ଗଭୀର ସଙ୍କଟ ଦେଇ ଗତି କରୁଛି। ଋଣ ବୋଝ ତଳେ ଚାପି ହୋଇଯାଇଛନ୍ତି ଅନେକ କଂପାନି। ଆଗକୁ ବଢ଼ିବାକୁ ଏହି କଂପାନିଗୁଡ଼ିକ ସଂଘର୍ଷ କରୁଛନ୍ତି। ଏହି କଂପାନିଗୁଡ଼ିକର କାରବାର ଯଦି ବିଫଳ ହେବ ତେବେ ତାହାର ବହୁତ ବଡ଼ ଧରଣର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଟେଲିକମ୍‌ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ ସଙ୍କଟମୟ ସ୍ଥିତି ଯୋଗୁଁ ଏହି କ୍ଷେତ୍ର ନିଯୁକ୍ତି ସୃଷ୍ଟି କରିବାର ଦକ୍ଷତା ହରାଇବ। ଅତ୍ୟାଧୁନିକ ପ୍ରଯୁକ୍ତି ମୂତୟନ କରିବାରେ ସମସ୍ୟା ସାମ୍ନା କରିବ। ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବ। ସର୍ବୋପରି ଏହି କ୍ଷେତ୍ରରେ କାମ କରୁଥିବା ଦେଢ଼ ଲକ୍ଷ ଲୋକ ନିଯୁକ୍ତି ହରାଇବେ।
ଟେଲିକମ୍‌ ଶିଳ୍ପର ସମସ୍ୟା ଦୂର କରିବା ନିମନ୍ତେ ଏକ ଟେଲିକମ୍‌ ଫାଇନାନ୍ସ କର୍ପୋରେସନ୍‌ ଗଠନ କରିବାକୁ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ଟେଲିକମ୍‌ ଶିଳ୍ପକୁ ଅଗ୍ରାଧିକାର କ୍ଷେତ୍ରର ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି। ଏହି ମାନ୍ୟତା ପ୍ରଦାନ କଲେ ଋଣ ହାସଲ କରିବା, ନଗଦ ଅର୍ଥ ପ୍ରବାହ ଏବଂ ଋଣ ପରିଚାଳନା କରିବା କଂପାନିଗୁଡ଼ିକ ପାଇଁ ଅଧିକ ସହଜ ହୋଇପାରିବ।
ଟେଲିକମ୍‌ କଂପାନିଗୁଡ଼ିକର ବିପୁଳ ପରିମାଣର ଋଣ ସ୍ପେକ୍ଟ୍ରମ୍‌ ହାସଲ କରିବା ନିମନ୍ତେ ଗ୍ରହଣ କରାଯାଇଛି। ଏହା ଆଶ୍ଚର୍ଯ୍ୟର ବିଷୟ। ସରକାର ସ୍ପେକ୍ଟ୍ରମ୍‌ ମୂଲ୍ୟକୁ ସୁଲଭ କରି ଏବଂ ଋଣ ଅବଧି କୋହଳ କରି ଟେଲିକମ୍‌ କଂପାନିଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ କରିପାରିବେ ବୋଲି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚର ସହକାରୀ ନିର୍ଦେଶକ ତନୁ ଶର୍ମା କହିଛନ୍ତି।
ପାହାଡ଼ ସଦୃଶ ସ୍ପେକ୍ଟ୍ରମ ଖର୍ଚ ଏବଂ ଭିତ୍ତିଭୂମି ଖର୍ଚକୁ ବାଦ ଦେବା ପରେ ଟେଲିକମ୍‌ କଂପାନିଗୁଡ଼ିକ ୨୯-୩୨% ଅର୍ଥ ଟିକସ ଏବଂ ଶୁଳ୍କ ଆକାରରେ ପ୍ରଦାନ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଟେଲିକମ୍‌ କଂପାନିଗୁଡ଼ିକ ଉପରେ ଏବେ ୮ ଲକ୍ଷ କୋଟି ଟଙ୍କାର ଋଣ ବୋଝ ରହିଛି। ନୂତନ କଂପାନି ବଜାରରେ ପ୍ରବେଶ କରିବା ପରେ ତୀବ୍ର ପ୍ରତିଦ୍ୱନ୍ଦିତା ଏବଂ ମାଗଣା ସେବାର ପରମ୍ପରା ଆରମ୍ଭ ହେବା ପରେ ପୁରୁଣା କଂପାନିଗୁଡ଼ିକ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଏହି କ୍ଷେତ୍ରର ସମସ୍ୟା କେତେ ଅଧିକ ତାହା ସରକାର ମଧ୍ୟ ଭଲ ଭାବେ ଜାଣିଛନ୍ତି।

ସମ୍ବନ୍ଧିତ ଖବର