ଟେଲିକମ୍ କଂପାନିଙ୍କ ବିପୁଳ କ୍ଷତି, ଉଦ୍ୟୋଗ ଜଗତ ଇତିହାସରେ ବିରଳ

ଭୋଡାଫୋନ୍‌ ଆଇଡିଆର ୫୦,୯୨୧ କୋଟି ଓ ଏୟାରଟେଲ୍‌ର ୨୩,୦୪୫ କୋଟି କ୍ଷତି

ନୂଆଦିଲ୍ଲୀ: ଜୁଲାଇ-ସେପ୍ଟେମ୍ବର ତିନି ମାସ ଭିତରେ ଦେଶର ଦୁଇ ପୁରୁଣା ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଓ ଭାରତୀ ଏୟାରଟେଲ୍‌ ବିପୁଳ ପରିମାଣର କ୍ଷତି ସହିଛନ୍ତି। ଭୋଡାଫୋନ୍‌ ଆଇଡିଆ ୫୦,୯୨୧ କୋଟି ଟଙ୍କାର କ୍ଷତି ସହିଥିବା ବେଳେ ଏୟାରଟେଲ୍‌ର କ୍ଷତି ୨୩ ହଜାର ୪୫ କୋଟି ଟଙ୍କା ହୋଇଛି। ମୋଟ ଉପରେ ଏହି ଦୁଇ କଂପାନି ତିନି ମାସରେ ପ୍ରାୟ ୭୪ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହି କ୍ଷତି ଭାରତୀୟ ଉଦ୍ୟୋଗ ଜଗତ ଇତିହାସରେ ବିରଳ। ଶେଷ ଥର ଲାଗି ୨୦୧୮ର ଅକ୍ଟୋବର-ଡିସେମ୍ବର ତିନି ମାସରେ ଟାଟା ମୋଟର୍ସ ସର୍ବାଧିକ ୨୬,୯୬୧ କୋଟି ଟଙ୍କାର କ୍ଷତି ସହିଥିଲା। ଆଡ୍‌ଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌)କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପ୍ରଭାବରେ ଭୋଡାଫୋନ୍ ଆଇଡିଆକୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ ଓ ଲାଇସେନ୍ସ ଫି’ ବାବଦରେ ଭୋଡାଫୋନ୍‌ ଆଇଡିଆକୁ ୪୪,୧୫୦ କୋଟି ଟଙ୍କାର ଯୋଗାଡ଼ କରିବାକୁ ପଡ଼ିଥିବା ବେଳେ ଏୟାରଟେଲ୍‌ ୨୮,୪୫୦ କୋଟି ଟଙ୍କାର ବ୍ୟବସ୍ଥା କରିଥିଲା। କୋର୍ଟ ରାୟ ‌ଯୋଗୁ ଦୁଇ କଂପାନି ଉପରେ ଏହି ଅତିରିକ୍ତ ଆର୍ଥିକ ବୋଝ ଲଦି ହୋଇଯାଇଛି। ସେଥିପାଇଁ ସେମାନଙ୍କ କ୍ଷତି ଏତେ ଅଧିକ ହୋଇଛି।

ଗତମାସ ୨୪ ତାରିଖରେ ସୁପ୍ରିମ କୋର୍ଟଙ୍କ ତରଫରୁ ଏଜିଆର୍‌କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦିଆଯାଇଥିଲା। ଏଜିଆର୍‌ର ସଂଜ୍ଞା କ’ଣ ତାହା କୋର୍ଟ ସ୍ପଷ୍ଟ କରିଥିଲେ ଓ ସେହି ଅନୁସାରେ ସ୍ପେକ୍ଟ୍ରମ ବ୍ୟବହାର ଚାର୍ଜ ଓ ଲାଇସେନ୍ସ ଫି’କୁ ଜରିମାନା ଓ ସୁଧ ସମେତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘଦିନ ଧରି ଏଜିଆର୍‌ ସଂଜ୍ଞାକୁ ନେଇ ଟେଲିକମ୍ ବିଭାଗ ଓ କମ୍ପାନି ଗୁଡ଼ିକ ମଧ୍ୟରେ ଆଇନଗତ ଲଢ଼େଇ ଚାଲିଥିଲା। ଶେଷରେ ଟେଲିକମ୍ ବିଭାଗ ଏହି ଲଢ଼େ‌ଇରେ ବିଜୟୀ ହୋଇଛି। ଏଜିଆର୍ ରାୟ ଯୋଗୁ ଟେଲିକମ୍ କମ୍ପାନି ଗୁଡ଼ିକୁ ୯୩ ହଜାର କୋଟି ଟଙ୍କାର ଆର୍ଥିକ ଧକ୍କା ଲାଗିଛି। ଏହି ରାୟ ଦ୍ବାରା ଭୋଡ଼ାଫୋନ ଆଇଡିଆ ଓ ଭାରତୀ ‌ଏୟାରଟେଲ ଭଳି ପୁରୁଣା ଟେଲିକମ୍ କମ୍ପାନି ଅଧିକ ପ୍ରଭାବିତ ହୋଇଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାରୁ ମୁକ୍ତି ପାଇବା ଲାଗି କମ୍ପାନି ଗୁଡ଼ିକ ସରକାରଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ‌ ସୁଫଳ ପାଇ ନଥିଲେ।

ଭବିଷ୍ୟତକୁ ନେଇ ଚିନ୍ତାରେ ଦୁଇ କଂପାନି
ଟେଲିକମ୍‌ ବ୍ୟବସାୟକୁ ନେଇ ଉଭୟ ଭୋଡାଫୋନ୍‌ ଆଇଡିଆ ଓ ଏୟାରଟେଲ୍‌ ଚିନ୍ତା ପ୍ରକଟ କରିଛନ୍ତି। ସମସ୍ୟା ସଂଖ୍ୟା ବଢ଼ିଚାଲିଥିବାରୁ ସ୍ବାଭାବିକ ଭାବେ କାରବାର ଅବ୍ୟାହତ ରଖିବା ଅତ୍ୟନ୍ତ କଷ୍ଟକର ବୋଲି ଏୟାରଟେଲ୍‌ ପକ୍ଷରୁ କୁହାଯାଇଛି। ସରକାରଙ୍କ ବକେୟା ରାଶି ପ୍ରଦାନ କରିବା ଲାଗି ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରିବା ଲାଗି କଂପାନି ଯୋଜନା ପ୍ରସ୍ତୁତ କରିଛି। କିନ୍ତୁ ସେହି ଯୋଜନା ସଫଳ ହେବ ନାହିଁ ତାହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କଂପାନି କହିଛି। କିଛି ଦିନ ତଳେ ଭାରତ କାରବାରକୁ ନେଇ ବ୍ରିଟେନ୍‌ର ଟେଲିକମ୍ କଂପାନି ଭୋଡାଫୋନ୍‌ର ସିଇଓ ନିକ୍ ରିଡ୍‌ ଚିନ୍ତା ପ୍ରକଟ କରିଥିଲେ। ଏବେ ଭାରତରେ ଭୋଡାଫୋନ୍‌ର ସହଯୋଗୀ କଂପାନି ଆଇଡିଆର ମାଲିକ ଆଦିତ୍ୟ ବିର୍ଲା ମଧ୍ୟ କଂପାନିର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିବା ଜଣାପଡ଼ିଛି। ଯଦି ସ୍ଥିତି ଅଧିକ ଖରାପ ହେବ ତେବେ କଂପାନିକୁ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାକୁ ନେବା ଉପରେ ଆଦିତ୍ୟ ବିର୍ଲା ଗ୍ରୁପ୍ ବିଚାର କରିବ ବୋଲି ଜଣାପଡ଼ିଛି। ଉଭୟ କଂପାନି ନିଜର ସମସ୍ୟା ଦୂର କରିବା ଲାଗି ସରକାରଙ୍କ ଠାରୁ ପ୍ୟାକେଜ୍ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର