ଟୁଇଟ୍‌ ନେଇଗଲା ଅଧ୍ୟକ୍ଷ ପଦ, ଟେସ୍‌ଲା ମୁଖ୍ୟ ଗଣିବେ ୨୯୦ କୋଟି

ସାନ୍‌ ଫ୍ରାନ୍‌ସିସ୍‌କୋ: ଅଳ୍ପ କିିଛି ଶବ୍ଦର ଏକ ଟୁଇଟ୍‌ କେତେ ମାରାତ୍ମକ ହୋଇପାରେ ତାହାର ଏକ ବଳିଷ୍ଠ ପ୍ରମାଣ ଦେଖିବାକୁ ମିଳିଛି ଆମେରିକାରେ। ଇଲେକ୍ଟ୍ରିକ୍ କାର୍‌ ନିର୍ମାଣରେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିବା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କଙ୍କ ପାଇଁ ଏକ ଟୁଇଟ୍ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ କଂପାନିର ଅଧ୍ୟକ୍ଷ ପଦରୁ ବିଦା ହେବାକୁ ଯାଉଛନ୍ତି। ଗତ ମାସରେ ଏକ ଟୁଇଟ୍‌ କରି ଏଲନ୍‌ ଲେଖିଥିଲେ ଯେ ‘ଟେସ୍‌ଲାକୁ ପ୍ରାଇଭେଟ୍ କରିବା ପାଇଁ ପାଣ୍ଠି ଯୋଗାଡ଼ ହୋଇଛି।’ ଏହି ଟୁଇଟ୍‌ ଯୋଗୁ ଟେସ୍‌ଲାର ସେୟାର ମୂଲ୍ୟ ହଠାତ୍‌ ୧୪% ବଢ଼ିଯାଇଥିଲା। ଏହାର ୧୭ ଦିନ ପରେ ସେ ପୁଣି ଘୋଷଣା କରିଥିଲେ ଯେ ପ୍ରସ୍ତାବିତ ଯୋଜନା ଆଗକୁ ବଢ଼ିବନି। ଫଳରେ କଂପାନିର ସେୟାର ମୂଲ୍ୟ ପୁଣି ହଠାତ୍ ୧୧% କମିଯାଇଥିଲା। ଏହି ଘଟଣା ବିଷୟରେ ଜାଣିବା ପରେ ଆମେରିକାର ସେୟାର ବଜାର ନିୟାମକ ସଂସ୍ଥା ‘ପ୍ରତିଭୂତି ଓ ଏକ୍ସଚେଞ୍ଜ କମିସନ (ଏସ୍‌ଇସି)’ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ଏଲନ୍‌ଙ୍କ ବିରୋଧରେ ନିବେଶକଙ୍କୁ ବିଭ୍ରାନ୍ତ କରିବା ଓ ଜାଲିଆତି କରିଥିବା ଅଭିଯୋଗ ଅଣାଯାଇଥିଲା ଓ ଏକ ମାମଲା ଦାୟର କରାଯାଇଥିଲା। ମାମଲା ଦାୟର ହେବାର ୪୮ ଘଣ୍ଟା ବିତିନଥିବା ବେଳେ ତାହାର ସମାଧାନ ହୋଇଯାଇଛି। ‌େସଥିପାଇଁ ଏଲନ୍‌ ଓ ତାଙ୍କ କଂପାନି ଟେସ୍‌ଲାକୁ ୨୯୦ କୋଟି ଟଙ୍କା ଗଣିବାକୁ ପଡ଼ିବ। ଟେସ୍୍ଲା ସେୟାର ମୂଲ୍ୟ ହ୍ରାସ ଯୋଗୁ ଯେଉଁ ନିବେଶକମାନେ କ୍ଷତି ସହିଥିଲେ ସେମାନଙ୍କୁ ଏହି ଅର୍ଥରୁ ୪୦ ନିୟୁତ ଡଲାର କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ। ଏଲନ୍‌ଙ୍କ ଉପରେ ଅନେକ ସର୍ତ୍ତ ମଧ୍ୟ ଲଗାଯାଇଛି। ସେ ତିନି ବର୍ଷ ପର୍ଯ୍ୟନ୍ତ କଂପାନିର ଅଧ୍ୟକ୍ଷ ରହିପାରି‌ବେନି। ହୁଏତ ସିଇଓ ଭାବେ କାମ କରିପାରନ୍ତି। ଟେସ୍‌ଲାରେ ଦୁଇ ଜଣ ସ୍ବାଧୀନ ନିର୍ଦେଶକଙ୍କୁ ନିଯୁକ୍ତି ଦେବାକୁ ହେବ। ଏଲନ୍‌ ସାର୍ବଜନୀନ ସ୍ତରରେ ଯାହାବି କିଛି ଜଣାଇବାକୁ ଚାହୁଛନ୍ତି ତାହାର ପ୍ରାକ୍ ଅନୁଧ୍ୟାନ କରାଯିବ। ଏଭଳି କିଛି ସର୍ତ୍ତଳାଗୁ କରାଯାଇଛି।

ସବୁବେଳେ ବିବାଦୀୟ ଟୁଇଟ୍‌ କରୁଥିଲେ
ବିବାଦୀୟ ଟୁଇଟ୍‌ କରି ଚର୍ଚ୍ଚାରେ ରହିବା ଏଲନ୍‌ଙ୍କ ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ନିୟମିତ ବ୍ୟବଧାନରେ ସେ ଏଭଳି କିଛି ଟୁଇଟ୍‌ କରୁଥିଲେ ଯାହା ବିବାଦୀୟ ହୋଇପଡ଼ୁଥିଲା। ସେ ପ୍ରତି ଘଣ୍ଟ‌ାରେ କିଛି ନା କିଛି ଟୁଇଟ୍ କରନ୍ତି। ତାଙ୍କର ଟୁଇଟ୍‌କୁ ଏକ ଏତେ ବଡ଼ କଂପାନିର ସିଇଓଙ୍କ ଟୁଇଟ୍‌ ଭାବେ ସହଜରେ ଗ୍ରହଣ କରିହୁଏନାହିଁ। ଟୁଇଟ୍ ଜରିଆରେ ଅନ୍ୟ କାହାକୁ ଅପମାନିତ କରିବାକୁ ସେ ପଛାନ୍ତି ନାହିଁ। ବର୍ତ୍ତମାନ ସୁଦ୍ଧା ସେ ପାଞ୍ଚ ହଜାରରୁ ଅଧିକ ଟୁଇଟ୍ କରିସାରିଲେଣି।

ସମ୍ବନ୍ଧିତ ଖବର