ରିଜର୍ଭ ବ୍ୟାଙ୍କର କରୋନା ମୁକାବିଲା, ଚିନ୍ତା ବଢ଼ାଇଲା ଶକ୍ତିକାନ୍ତଙ୍କ ଆଶଙ୍କା

ବିକାଶ ହାର ଋଣାତ୍ମକ ହେବ

ମୁମ୍ବାଇ/ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ (୨୦୨୦-୨୧)ରେ ଅଭିବୃଦ୍ଧି ହେବାର କୌଣସି ସମ୍ଭାବନା ନାହିଁ। ଅର୍ଥନୀତି ଆଗକୁ ବଢ଼ିବାର ପ୍ରଶ୍ନ ଉଠୁନାହିଁ। ବରଂ ଏହା ବହୁତ ତଳକୁ ଖସିଯିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଶୂନ ଠାରୁ କମ୍ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ଲାଗି ଆକଳନ କରି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଦୀର୍ଘଦିନ ପର୍ଯ୍ୟନ୍ତ ଦୂରେଇ ରହିବା ପରେ ରିଜର୍ଭ ବ୍ୟାଙ୍କ ଶେଷରେ ଏହାର ଅଭିବୃଦ୍ଧି ଆକଳନ ଜାରି କରିଛି। ଭାରତର ଅଭିବୃଦ୍ଧି ବହୁତ ତଳକୁ ଖସିବ ବୋଲି ବହୁ ପୂର୍ବରୁ ଆଇଏମ୍‌ଏଫ୍, ବିଶ୍ବବ୍ୟାଙ୍କ, ନୁମୋରା, ଗୋଲ୍ଡମ୍ୟାନ୍ ସଚସ୍‌, ଇଣ୍ଡିଆ ରେଟିଂଙ୍ଗ୍‌ ଭଳି ସଂସ୍ଥା ଆକଳନ କରିଥିଲେ। ଏହା ସତ୍ବେ ସମସ୍ତେ କିନ୍ତୁ ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କର ଆକଳନକୁ ଚାହିରହିଥିଲେ। ଆଜି ଶକ୍ତିକାନ୍ତ କହିଛନ୍ତି, କରୋନା ସଙ୍କଟ ଏବଂ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଅର୍ଥନୀତିକୁ ନେଇ ଘୋର ଅନିଶ୍ଚିତତା ଲାଗି ରହିଛି। କରୋନା ଭୂତାଣୁ ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ବନ୍ଦ କରିଦେଇଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ‌ ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ହେବାର ସମ୍ଭାବନା ନାହିଁ। କିନ୍ତୁ ବର୍ଷର ଦ୍ବିତୀୟ ଭାଗରେ ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ସୁଧାର ହେବ ଏବଂ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ଦେଶର ଅଭିବୃଦ୍ଧିରେ ଯାହା କିଛି ସୁଧାର ହେବ ତାହା ଦ୍ବିତୀୟ ଭାଗରେ ହିଁ ହେବ ବୋଲି ସେ କହିଛନ୍ତି। ଦେଶ ମାନ୍ଦାବସ୍ଥା ଆଡ଼କୁ ଗତି କରୁଛି। ମୁଦ୍ରାସ୍ଫୀତିକୁ ନେଇ କୌଣସି ପ୍ରକାର ଆକଳନ କରାଯାଇପାରୁନାହିଁ। ଏହା ସମ୍ପୂର୍ଣ୍ଣ ଅନିଶ୍ଚିତ ରହିଛି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ସାମଗ୍ରୀ ଓ ସେବାରେ ଦରରେ ଘଟିବାକୁ ଥିବା ବୃଦ୍ଧି କିମ୍ବା ହ୍ରାସକୁ ମୁଦ୍ରାସ୍ଫୀତି ଜରିଆରେ ଆକଳନ କରାଯାଇଥାଏ। ଏହାକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ସର୍ବଦା ପ୍ରୟାସ କରିଥାଏ। ଦେଶର ମୋଟ୍ ଶିଳ୍ପ ଉତ୍ପାଦନ ପ୍ରତି ୬ଟି ଶି‌ଳ୍ପୋନ୍ନତ ରାଜ୍ୟର ୬୦ ପ୍ରତିଶତ ଅବଦାନ ରହିଛି। ଏହି ରାଜ୍ୟଗୁଡ଼ିକ ଏବେବି ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ରହିବା ସବୁଠୁ ବଡ଼ ଚିନ୍ତାର କାରଣ। ବିଦ୍ୟୁତ ଓ ପେଟ୍ରୋଲିୟମ୍ ସାମଗ୍ରୀର ଚାହିଦା ହ୍ରାସ ପାଇଛି। ଘରୋଇ ନିବେଶରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ଦେଶର ଅଭିବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କ ଭଳି ବିଶ୍ବର ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସି ମୁଡିସ୍‌ ମଧ୍ୟ ସମାନ ଆକଳନ କରିଛି। ଭାରତର ଅଭିବୃଦ୍ଧି ଋଣାତ୍ମକ ହେବ ବୋଲି ଏହା ଜଣାଇଛି। ସରକାର ଯେଉଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା ସ୍ଥିତି ସୁଧାରିପାରିବ ନାହିଁ। ତେବେ ଏହି ଆକଳନ କରିବା ବେଳେ ଆଜି ରିଜର୍ଭ ବ୍ୟାଙ୍କ ଯେଉଁ ଅତିରିକ୍ତ ପଦକ୍ଷେପଗୁଡ଼ିକ ଘୋଷଣା କରିଛି ତାହାକୁ ମୁଡିସ୍‌ ବିଚାରକୁ ନେଇନାହିଁ। କିନ୍ତୁ ୨୦୨୧-୨୨ରେ ଦେଶର ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ ବୋଲି ଏହା ଆକଳନ କରିଛି।

କାହାକୁ କ’ଣ ମିଳିଲା
ଋଣ ଗ୍ରାହକ : ରେପୋ ହାର ୪%କୁ ହ୍ରାସ କରାଯାଇଥିବାରୁ ମାସିକ କିସ୍ତି ବା‌ ଇଏମ୍‌ଆଇ ହ୍ରାସ ପାଇବ8ଗ୍ରାହକମାନେ ଋଣ କିସ୍ତି ପରିଶୋଧକୁ ଆଉ ତିନି ମାସ ଅଟକାଇପାରିବେ। ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ କିସ୍ତି ପରିଶୋଧ ଉପରେ ମୋରାଟୋରିଅମ୍ ସୁବିଧା। ପୂର୍ବରୁ ମାର୍ଚ୍ଚ ୧ରୁ ମେ’ ୩୧ ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଇଛି। ମୋଟ୍‌ ଉପରେ ଗ୍ରାହକଙ୍କୁ ୬ ମାସ ପାଇଁ ମୋରାଟୋରିଅମ୍ ସୁବିଧା ଦିଆଯାଇଛି

କ୍ଷୁଦ୍ର ଶିଳ୍ପ: ଦେଶର କ୍ଷୁଦ୍ର ଶିଳ୍ପ ସଂସ୍ଥାଗୁଡ଼ିକୁ କମ୍ ସୁଧରେ ଋଣ ପ୍ରଦାନ କରିବା ଲାଗି ସିଡ୍‌ବି ପାଇଁ ୧୫ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ରିଫାଇନାନ୍ସ ବ୍ୟବସ୍ଥା କରାଯାଇଥିଲା। ଗତ ଏପ୍ରିଲ୍‌ରେ ଏହି ଘୋଷଣା ହୋଇଥିଲା। ସେହି ସୁବିଧାର ଅବଧିକୁ ଆଉ ୯୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ଆମଦାନିକାରୀ/ରପ୍ତାନିକାରୀ: ପୂର୍ବରୁ ରପ୍ତାନିକାରୀଙ୍କୁ ଏକ ବର୍ଷ ଅବଧିର ଋଣ ଦିଆଯାଉଛି। ଆଗାମୀ ଦିନରେ ସେମାନେ ୧୫ ମାସ ଅବଧି ପାଇଁ ଋଣ ନେଇପାରିବେ8ଏକ୍‌ଜିମ୍ ବ୍ୟାଙ୍କ ପାଇଁ ୧୫ ହଜାର କୋଟି ଟଙ୍କାର ସହାୟତା (ଲାଇନ୍ ଅଫ୍‌ କ୍ରେଡିଟ୍‌) ଘୋଷଣା କରାଯାଇଛି। ଲାଇନ୍ ଅଫ୍‌ କ୍ରେଡିଟ୍‌ ହେଉଛି ସେହି ରାଶି ଯାହାକୁ ଏକ୍‌ଜିମ୍ ବ୍ୟାଙ୍କ ତରଫରୁ ଭାରତୀୟ ସଂସ୍ଥାଗୁଡ଼ିକୁ ବିଦେଶରେ ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ପାଣ୍ଠି ଆକାରରେ ପ୍ରଦାନ କରାଯାଇଥାଏ। ବିଭିନ୍ନ ରାଷ୍ଟ୍ର ସହିତ ଅର୍ଥନୈତିକ ସମ୍ପର୍କ ବଢ଼ାଇବାର ଏହା ଏକ ପ୍ରମୁଖ ଅସ୍ତ୍ର 8ଆମଦାନିକାରୀଙ୍କୁ ମଧ୍ୟ ପେମେଣ୍ଟ୍‌ କରିବା ଲାଗି ଅଧିକ ସମୟ ଦିଆଯାଇଛି। ଜାହାଜରେ ମାଲ୍‌ ଆସିବାର ଛଅ ମାସ ଭିତରେ ଆମଦାନିକାରୀଙ୍କୁ ପେମେଣ୍ଟ୍‌ କରିବାକୁ ପଡ଼ୁଥିଲା। ଏବେ ସେମାନେ ପେମେଣ୍ଟ୍‌ କରିବା ଲାଗି ୧୨ ମାସର ସମୟ ଦିଆଯାଇଛି। କିନ୍ତୁ ସୁନା, ହୀରା, ମୂଲ୍ୟବାନ ପଥର ଓ ଗହଣା ଆମଦାନି କରୁଥିବା ଆମଦାନିକାରୀଙ୍କୁ ଏହି ସୁବିଧା ମିଳିବ ନା‌ହିଁ

ନିବେଶକ: ବୈଦେଶିକ ପୋର୍ଟଫୋଲିଓ ନିବେଶକଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ‘ଭଲ୍ୟୁଣ୍ଟାରି ରିଟେନ୍‌ସନ୍ ରୁଟ୍‌’ ବ୍ୟବସ୍ଥା ରହିଛି। ଏଥିରେ ନିବେଶକଙ୍କ ପାଇଁ କୋହଳ ନିୟମର ବ୍ୟବସ୍ଥା କରାଯାଇଛି। ନିୟମ ଅନୁସାରେ ନିବେଶକ ନିବେଶ କରିବାକୁ ଚାହୁଥିବା ରାଶିର ୭୫% ଭାଗକୁ ତିନି ମାସ ଭିତରେ ନିବେଶ କରିବା ଦରକାର। କରୋନା ସଙ୍କଟ ଲାଗି ନିବେଶକମାନେ ସାମ୍ନା କରୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଅବଧିକୁ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ରାଜ୍ୟ ସରକାର: ରାଜ୍ୟଗୁଡ଼ିକୁ ଅନେକ ଦେୟ ଦେବାକୁ ପଡ଼ିଥାଏ। ସେହି ଦେୟ ଦେବା ଲାଗି ସେମାନେ ‘କନ୍‌ସୋଲିଡେଟେଡ୍‌ ସିଙ୍କିଙ୍ଗ୍‌ ଫଣ୍ଡ୍‌’ରେ ଟଙ୍କା ରଖିଥାନ୍ତି। ଏହି ପାଣ୍ଠିରୁ ଋଣ ନେବା ଲାଗି ଯେଉଁ ନିୟମ ରହିଛି ତାହାକୁ ରିଜର୍ଭ ବ୍ୟାଙ୍କ କୋହଳ କରିଛି। ଫଳରେ ୨୦୨୦-୨୧ରେ ବଜାରରୁ ଆଣିଥିବା ଋଣ ପରିଶୋଧ କରିବା ଲାଗି ଏହି ପାଣ୍ଠିରୁ ଅଧିକ ଋଣ ଦେଇପାରିବେ। ନିୟମରେ ହୋଇଥିବା ପରିବର୍ତ୍ତନକୁ ତତ୍କାଳ ଲାଗୁ କରାଯାଇଛି ଏବଂ ଏହା ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିବ।

ଅନ୍ୟାନ୍ୟ: କାର୍ଯ୍ୟକାରୀ ପୁଞ୍ଜି ଉପରେ ସଂସ୍ଥାଗୁଡ଼ିକ ଆଉ ୩ ମାସ ସୁଧ ଟାଳିପାରିବେ। ଏହା ପରେ କିନ୍ତୁ ସେମାନଙ୍କୁ ସୁଧ ଗଣିବାକୁ ହେବ 8କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପାଇଁ ମାର୍ଜିନ୍‌କୁ ହ୍ରାସ କରାଯାଇଛି 8ବୁଡ଼ିଯାଉଥିବା ଋଣ ମାମଲାର ସମାଧାନ ପାଇଁ ଅଧିକ ସମୟ ମିଳିବ 8ଋଣର ବର୍ଗୀକରଣ ବେଳେ ମୋରାଟୋରିଅମ୍ ଅବଧି ବିଚାରକୁ ନିଆଯିବ ନାହିଁ 8ଋଣ ଦେଉଥିବା ସଂସ୍ଥାଗୁଡ଼ିକ କାର୍ଯ୍ୟକାରୀ ପୁଞ୍ଜିର ସୁଧକୁ ମିଆଦୀ ଋଣ ସୁଧରେ ପରିଣତ କରିପାରିବେ। 8କର୍ପୋରେଟ୍‌ ଗ୍ରୁପ୍‌ଗୁଡ଼ିକ ପାଇଁ ଏକ ବ୍ୟାଙ୍କ ୩୦% ଋଣ ଦେଇପାରିବେ। ପୂର୍ବରୁ ଏହି ସୀମା ୨୫% ଥିଲା। କର୍ପୋରେଟ୍ ସଂସ୍ଥାଗୁଡ଼ିକ ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ଏହାର ଲାଭ ନେଇପାରିବେ

ସମ୍ବନ୍ଧିତ ଖବର