କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ, ଓଡ଼ିଶାକୁ ୨୧୩୧ କୋଟି

ପୌରସଂସ୍ଥା ଅନୁଦାନ ୨୭୧ କୋଟି

ନୂଆଦିଲ୍ଲୀ: ଏନ୍‌ ‌କେ ସିଂହଙ୍କ ନେତୃତ୍ବାଧୀନ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ୍‌ ଆଧାରରେ କେନ୍ଦ୍ରୀୟ ଟିକସ ଉପରେ ରାଜ୍ୟଗୁଡ଼ିକର ଭାଗ ବାବଦ ମେ’ମାସ କିସ୍ତି ସ୍ବରୂପ ୪୬,୦୩୮.୭୦ କୋଟି ଟଙ୍କା ଜାରି କରାଯାଇଛି। ଏସମ୍ପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ ଓଡ଼ିଶା ୨୧୩୧.୧୩ କୋଟି ଟଙ୍କା ମିଳିଛି। ଗତ ଏପ୍ରିଲ୍‌ରେ ମଧ୍ୟ ସମାନ ପରିମାଣର ପାଣ୍ଠି ଜାରି କରାଯାଇଥିଲା। କେନ୍ଦ୍ରୀୟ ଟିକସ ୪୧% ଭାଗ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବଣ୍ଟନ କରିବା ଏବଂ ୧% ଅର୍ଥ ଜମ୍ମୁ ଓ କାଶ୍ମୀର ଏବଂ ଲାଦାଖ କେନ୍ଦ୍ରଶାସିତ ଅଞ୍ଚଳକୁ ଦେବା ଲାଗି ଅର୍ଥ ଆୟୋଗ ସୁପାରିସ କରିଥିଲେ। ସେହି ଅନୁସାରେ ଏଥର ଉତ୍ତରପ୍ରଦେଶକୁ ସର୍ବାଧିକ ୮୨୫୫.୧୯ କୋଟି ଟଙ୍କା ମିଳିଛି। ବିହାର ୪୬୩୧.୯୬ କୋଟି ଟଙ୍କା ଓ ମଧ୍ୟପ୍ରଦେଶ ୩୬୩୦.୬ କୋଟି ଟଙ୍କା ପାଇଛି।

ସେହିପରି, କେନ୍ଦ୍ର ସରକାରଙ୍କ ତରଫରୁ ଏକ ନିୟୁତରୁ କମ୍ ଲୋକ ବାସ କରୁଥିବା ସହରଗୁଡ଼ିକର ପୌର ସଂସ୍ଥା ପାଇଁ ଅନୁଦାନ ବାବଦରେ ୫୦୦୫.୨୫ କୋଟି ଟଙ୍କା ଜାରି କରାଯାଇଛି। ସେଥିରୁ ଓଡ଼ିଶାକୁ ୨୭୧.୭୫ କୋଟି ଟଙ୍କା ମିଳିଛି। କେନ୍ଦ୍ର ସରକାରଙ୍କ ଠାରୁଏହି ଅନୁଦାନ ରାଶି ମିଳିବାର ୧୦ଟି କାର୍ଯ୍ୟଦିବସ ଭିତରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ପାଣ୍ଠି ହସ୍ତାନ୍ତର କରାଯିବ। ଏଥିରେ ବିଳମ୍ବ ହେଲେ ରାଜ୍ୟ ସରକାର ସୁଧ ସହ ପୌର ସଂସ୍ଥାଗୁଡ଼ିକୁ ପାଣ୍ଠି ଦେବେ। ପୌର ସଂସ୍ଥାଗୁଡ଼ିକ ଏହି ରାଶିକୁ ବେତନ କିମ୍ବା ଅନୁଷ୍ଠାନରେ ହେଉଥିବା ଖର୍ଚ୍ଚ ପାଇଁ ବ୍ୟୟ କରିପାରିବେ ନାହିଁ। ନିଜ ପରିସୀମା ଅଧୀନରେ ଆସୁଥିବା ଅଂଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପରେ ସେହି ଅର୍ଥ ଖର୍ଚ୍ଚ କରିପାରିବେ।

ପଞ୍ଚଦଶ ଅର୍ଥ ଆୟୋଗଙ୍କ ବୈଠକ ଆଜି
ନୂଆଦିଲ୍ଲୀ: କରୋନା ସଙ୍କଟ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ଆକଳନ କରିବା ଏବଂ ସେହି ଅନୁସାରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗଙ୍କ ପ୍ରଥମ ବୈଠକ ଆସନ୍ତାକାଲି ଭିଡିଓ କନଫରେନ୍ସି ଜରିଆରେ ହେବ। ଏଥିରେ ଆୟୋଗର ଅଧ୍ୟକ୍ଷ ଏନ୍ କେ ସିଂ, ସଦସ୍ୟ ଅଜୟ ନାରାୟଣ ଝା ଓ ଡକ୍ଟର ଅନୁପ ସିଂହ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର କୃଷ୍ଣମୂର୍ତ୍ତୀ ସୁବ୍ରମଣଅନ, କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟସ୍‌ ସୋମା ରାୟ ବର୍ମନ, ଅର୍ଥ ବିଭାଗର ଯୁଗ୍ମ ସଚିବ ରଜତ କୁମାର ମିଶ୍ର, ତାମିଲନାଡୁ ଓ ପଞ୍ଜାବ ସରକାରଙ୍କ ପ୍ରତିନିଧି ଏବଂ ବିଶିଷ୍ଟ ଆନାଲିଷ୍ଟ ଡକ୍ଟର ପ୍ରାଚୀ ମିଶ୍ର ଯୋଗ ଦେବେ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଯେଉଁ ସୁପାରିସ୍ କରିଥିଲେ ସେହି ଆଧାରରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଲାଗି ବୈଠକରେ ଆଲୋଚନା ହେବ। କରୋନା ସଙ୍କଟ ପରେ କେବଳ ଭାରତ ନୁହେଁ ସାରା ବିଶ୍ବର ଅର୍ଥନୀତି ବଦଳିଯାଇଛି। ତାହାକୁ ଦୃଷ୍ଟିରେ ରଖି ଭବିଷ୍ୟତ କା‌ର୍ଯ୍ୟପନ୍ଥା ନିର୍ଧାରଣ କରିବା ଉପରେ ଆୟୋଗ ଧ୍ୟାନ ଦେବ।

ସମ୍ବନ୍ଧିତ ଖବର