ଚୀନ୍‌ ବିରୋଧରେ ଆମେରିକା କଠୋର, ଷ୍ଟକ୍ ଏକ୍ସଚେଞ୍ଜ୍‌ରୁ ବିଦାହେବେ ଚୀନ୍‌ର ୮୦୦ କମ୍ପାନି

ୱାସିଂଟନ: ଚୀନ୍ ଉପରେ ଏବେ ଆମେରିକା ଖପ୍ପା। ବିଶେଷକରି କରୋନା ଭୂତାଣୁ ସଂକ୍ରମଣ ପରେ ଏହି ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ ଅର୍ଥନୈତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଆମେରିକାର ଷ୍ଟକ୍ ବଜାରରେ ସେୟାର କାରବାର କରୁଥିବା ପ୍ରାୟ ୮୦୦ କମ୍ପାନିର ପଞ୍ଜୀକରଣକୁ ରଦ୍ଦ କରାଯିବ। ଆମେରିକା ସିନେଟ୍‌ରେ ଏ ନେଇ ବିଲ୍ ଗୃହୀତ ହୋଇଛି। ‌ସିନେଟ୍‌ରେ ଗୃହୀତ ବିଲ୍‌ରେ ବିଦେଶୀ କମ୍ପାନିଙ୍କ ପାଇଁ କଡ଼ା ନିୟମ ପ୍ରଣୟନ କରାଯାଇଛି। ଯଦିଓ ବିଦେଶୀ କମ୍ପାନିଙ୍କ ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି ତଥାପି ଚୀନ୍ କମ୍ପାନିଙ୍କୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଆମେରିକାର ଅଡିଟ୍‌ ଓ ନିୟାମକ ମାନକକୁ ପାଳନ ନକରିଲେ ଚୀନ୍ କମ୍ପାନି ଗୁଡ଼ିକ ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜରେ ନିଜର କମ୍ପାନିକୁ ତାଲିକାଭୁକ୍ତ କରିପାରିବେ ନାହିଁ ବୋଲି ମଧ୍ୟ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ଆମେରିକାର ଏହି ପଦକ୍ଷେପ ଫଳରେ ଚୀନର ଆଲିବାବା ଓ ବାଇଦୁ ଭଳି କମ୍ପାନି ସେହି ଦେଶର ଷ୍ଟକ ବଜାରରୁ ବାଦ୍ ପଡ଼ିପାରନ୍ତି। ଏଥିସହିତ ଆଗାମୀ ଦିନରେ ଚୀନ୍ କମ୍ପାନିଙ୍କ ପାଇଁ ଆମେରିକାର ଷ୍ଟକ ମାର୍କେଟରେ ତାଲିକାଭୁକ୍ତ ହେବା କଷ୍ଟକର ହୋଇଯିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରିପବ୍ଲିକ୍ ଦଳର ସିନେଟର ଜ‌ନ୍ କେନେଡି ଓ ଡେମୋକ୍ରାଟିକ୍ ଦଳର ସିନେଟର କ୍ରିସ୍ ଭାନ୍ ହୋଲେନ୍‌ଙ୍କ ପକ୍ଷରୁ ଏହି ବିଲ୍ ସିନେଟ୍‌ରେ ଆଗତ ହୋଇଥିଲା। ବିଲ୍‌ଟି ମଧ୍ୟ ସର୍ବସମ୍ନତିକ୍ରମେ ସନେଟ୍‌ରେ ଗୃହୀତ ହୋଇଛି।

କେନେଡି ଲୁଇସିଆନାର ସିନେଟ୍ ସଦସ୍ୟ ହୋଇଥିବାବେଳେ ହୋଲେନ୍ ମେରିଲ୍ୟାଣ୍ଡ୍‌ର ସଦସ୍ୟ। ‘ଦି ହୋଲଡିଂ ଫରେନ୍ କମ୍ପାନିଜ୍‌ ଆକାଉଣ୍ଟେବଲ୍‌ ଆକ୍ଟ’ରେ କୌଣସି ବିଦେଶୀ କମ୍ପାନି ଯଦି ଆମେରିକାର ପବ୍ଲିକ୍ କମ୍ପାନି ଆକାଉଣ୍ଟିଂ ଓଭରସାଇଟ୍‌ ବୋର୍ଡ (ପିସିଏଓବି)ର ଅଡିଟ୍‌କୁ ଲଗାତାର ୩ ବର୍ଷ ଧରି ପାଳନ କରିବାରେ ବିଫଳ ହୁଏ ତା’ହେଲେ ସେହି କମ୍ପାନିକୁ ଆମେରିକାର ସିକ୍ୟୁରିଟିଜ୍ ଏକ୍ସଚେଞ୍ଜରେ କଟକଣା ଲଗାଇ ଦିଆଯାଇଥିାଏ। ଏହି ଆଇନ ଅନୁଯାୟୀ କମ୍ପାନି ଗୁଡ଼ିକୁ ପ୍ରକାଶ କରିବାକୁ ହେବ ଯେ ସେମାନେ କୌଣସି ବେଦେଶୀ ସରକାରଙ୍କ ମାଲିକାନାରେ ଅଛନ୍ତି ନା ନାହିଁ। ବିଦେଶୀ କମ୍ପାନି ଗୁଡ଼ିକ କୌଣସି ଦେଶର ସରକାରଙ୍କ ନିୟନ୍ତ୍ରଣରେ ନାହାନ୍ତି ବୋଲି ପ୍ରମାଣପତ୍ର ଦେବାକୁ ପଡ଼ିବ। ସବୁ ବିଦେଶୀ କମ୍ପାନିଙ୍କ ପାଇଁ ଏହି ଆଇନ ଲାଗୁ ହେବ ବୋଲି ଯଦିଓ ଉକ୍ତ ବିଲ୍‌ରେ ଲେଖାଯାଇଛି ତଥାପି ଚୀନ୍‌ କମ୍ପାନିଙ୍କୁ ଟାର୍ଗେଟରେ ରଖି ଉକ୍ତ ନିୟମ ପ୍ରଣୟନ କରାଯାଇଛି। ଅଧିକ ଲାଭ ଆଶାରେ ଆମେରିକାର ବିପୁଳ ପରିମାଣର ଅର୍ଥ, ବିଶେଷକରି ଏହି ଦେଶର ପେନସନ୍ ପାଣ୍ଠିରୁ, ଚୀନର ବଡ଼ ବଡ଼ କମ୍ପାନିକୁ ଚାଲି ଯାଉଥିବାରୁ ଆମେରିକାର ସିନେଟ୍ ସଦସ୍ୟମାନେ ଏ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ବୁଧବାର ସିନେଟ୍‌ରେ ଉକ୍ତ ବିଲ୍ ଗୃହୀତ ହେବା ପରେ ଗୁରୁବାର ଆମେରିକା ‌ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିବା ଆଲିବାବା, ବାଇଦୁ ଭଳି କମ୍ପାନିର ସେୟାର ମୂଲ୍ୟ ଗୁରୁବାର ହ୍ରାସ ପାଇଛି। ଟ୍ରମ୍ପଙ୍କ ସମେତ ଆମେରିକା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ଅଧିକାରୀମାନଙ୍କ କହିବା କଥା ହେଲା ଚୀନ୍‌ରେ କରୋନା ଭୂତାଣୁ ସଂକ୍ରମଣ ଯେତେବେଳେ ଆରମ୍ଭ ହେଲା ସେହି ଦେଶ ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରିଲା ନାହିଁ। ଏଥିଯୋଗୁଁ ଏହା ବିଶ୍ବ ମହାମାରୀରେ ପରିଣତ ହୋଇଗଲା। ଏହି ଘାତକ ଭୂତାଣୁରେ ଏପର୍ଯ୍ୟନ୍ତ ବିଶ୍ବରେ ୩,୨୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଲେଣି। ଏଥିସହିତ ବିଶ୍ ଅର୍ଥନୀତି ଧ୍ବସ୍ତ ବିଧ୍ବସ୍ତ ହେଲାଣି।

ବିଲ୍‌ ଆଗତ କରିଥିବା ସିନେଟ୍‌ ସଦସ୍ୟ କେନେଡି କହିଛନ୍ତି, ଚୀନ୍ ସହିତ ପୁଣି ଥରେ ଆମେରିକା ଶୀତଳ ଯୁଦ୍ଧରେ ପ୍ରବେଶ କରୁ ତାହା ମୁଁ ଚାହୁନାହିଁ। କିନ୍ତୁ ଆମେରିକାର ନିୟମ ଅନୁସାରେ ଚୀନ୍‌ କମ୍ପାନି ଗୁଡ଼ିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଷ୍ଟକ ମାର୍କେଟରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକ ସମାନ ସୁବିଧା ସୁଯୋଗ ସହିତ କାମ କରିବା ଉଚିତ ବୋଲି ହୋଲେନ୍ ଗୃହରେ ମତ ‌ରଖିଛନ୍ତି। ଦୁଇ ଦଳ ପକ୍ଷରୁ ଏହି ବିଲ୍‌କୁ ସମର୍ଥନ ମିଳିଥିବାରୁ ସେ ଏହାକୁ ନେଇ ଗର୍ବିତ ବୋଲି କହିଛନ୍ତି। ଆମେରିକାର ଏହି କଡ଼ା ନିୟମ ଯୋଗୁଁ କେବଳ ବର୍ତ୍ତମାନ ସେଠାରେ ତାଲିକାଭୁକ୍ତ ଥିବା ଚୀନ୍‌ କମ୍ପାନି ଗୁଡ଼ିକ ଅସୁବିଧାରେ ପଡ଼ିବେ ନାହିଁ ଆଗକୁ ଏହି ମାର୍କେଟରେ ପ୍ରବେଶ କରିବାକୁ ଯୋଜନା ରଖିଥିବା ଜ୍ୟାକ୍‌ ମା’ଙ୍କ ଆଣ୍ଟ୍‌ ଫାଇନାନ୍ସିଆଲ୍ ଓ ବାଇଟଡ୍ୟାନ୍ସ ଲିମିଟେଡ ଭଳି କମ୍ପାନି ଅସୁବିଧାରେ ପଡ଼ିବେ।

ଅଡିଟ୍‌ ସଂସ୍ଥାକୁ ଧରାଛୁଆଁ ଦେଉନଥିଲେ ଚୀନ୍ କମ୍ପାନି
ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜ, ନାସଦାକ୍ ଓ ଆମେରିକାର ଅନ୍ୟ ପ୍ଲାଟ୍‌ଫର୍ମରେ ଟ୍ରେଡିଂ କରୁଥିବା ଚୀନ୍ କମ୍ପାନି ଗୁଡ଼ିକ ଦୀର୍ଘବର୍ଷ ହେଲା ଆମେରିକାର ପବ୍ଲିକ୍ କମ୍ପାନି ଆକାଉଣ୍ଟିଂ ଓଭରସାଇଟ୍‌ ବୋର୍ଡ (ପିସିଏଓବି)ର ଅଡିଟ୍‌କୁ ଫାଙ୍କି ଆସୁଛନ୍ତି। ୨୦୦୨ରେ ଏନରନ୍ ଆକାଉଣ୍ଟିଂ ଜାଲିଆତି ଘଟଣା ପଦାକୁ ଆସିବା ପରେ ଏହି ବୋର୍ଡ ଗଠନ ହୋଇଥିଲା। ବି‌ଶେଷକରି କମ୍ପାନି ଗୁଡ଼ିକରେ ହେଉଥିବା ଜାଲିଆତି ଓ ଆର୍ଥିକ ତ୍ରୁଟି ଧରିବା କାର୍ଯ୍ୟ ଏହି ବୋର୍ଡ କରିଥାଏ। କାରଣ କମ୍ପାନି ଗୁଡ଼ିକ ଆର୍ଥିକ ଜାଲିଆତି ପାଇଁ ପରେ ସେୟାର କିଣିଥିବା ବ୍ୟକ୍ତିମାନେ ହିଁ ଅସୁବିଧାରେ ପଡ଼ିଥାନ୍ତି। ପିସିଏଓବି ଯଦିଓ ସରକାରୀ ସଂସ୍ଥା ନୁହେଁ ତଥାପି ଆମେରିକାର ସିକ୍ୟୁରିଟିଜ୍‌ ଆଣ୍ଡ୍ ଏକ୍ସଚେଞ୍ଜ କମିସନ ଏହି ବୋର୍ଡ ଉପରେ ନଜର ରଖିଥାଏ।

କେନେଡି-‌ଭାନ୍ ହୋଲେନ୍ ବିଲ୍
ଉକ୍ତ ବିଲ୍‌କୁ ଜନ୍ କେନେଡି ଓ ଭାନ୍ ହୋଲେନ୍‌ଙ୍କ ଦ୍ବାରା ଆଗତ ହୋଇଥିବାରୁ ଏହାକୁ କେନେଡି-‌ଭାନ୍ ହୋଲେନ୍ ବିଲ୍ ବୋଲି କୁହାଯାଉଛି। ଉକ୍ତ ବିଲ୍‌କୁ ସିନେଟ ସଦସ୍ୟ କେଭିନ୍ କ୍ରେମର, ଟମ୍ କଟନ, ବବ୍ ମେନେନଡେଜ୍, ମାର୍କୋ ରୁବିଓ ଓ ରିକ୍ସ ସ୍କଟ୍‌ ଆଦି ଦୃଢ଼ ସମର୍ଥନ କରିଥିଲେ। ଚୀନ୍ କମ୍ପାନି ଗୁଡ଼ିକ ଯଦି ଆମେରିକାର ପୁଞ୍ଜି ବଜାରରେ ପ୍ରବେଶ ଚାହୁଛନ୍ତି ତାହେଲେ ସେମାନେ ଆମେରିକାର ଆଇନକୁ ପାଳନ କରିବା ଉଚିତ ବୋଲି ସିନେଟର ମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର