ପୁଣି ବିଗିଡ଼ିଲା ସରକାର-ରିଜର୍ଭ ବ୍ୟାଙ୍କ ସମ୍ପର୍କ

ଏଥର ଏନ୍‌ପିଏ ନିୟମକୁ ନେଇ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ନନ୍‌ ପରଫରମିଂ ଆସେଟ୍‌ (ଏନ୍‌ପିଏ) ପରିଚାଳନାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତାନ୍ତର ଦେଖାଦେଇଛି।

ଏନ୍‌ପିଏ ପରିଚାଳନାକୁ ନେଇ ଚଳିତ ବର୍ଷ ଫେବ୍ରୁଆରିରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ କଠୋର ନିୟମ ଜାରି କରାଯାଇଥିଲା। ସେହି ନିୟମ କାର୍ଯ୍ୟକାରୀ ହେଲେ ବ୍ୟାଙ୍କଗୁଡ଼ିକ ଭାବିତ ହେବେ ଓ ଅନେକ ଛୋଟ ସଂସ୍ଥା ଦେବାଳିଆ ହୋଇଯିବେ ବୋଲି ସରକାର କହୁଛନ୍ତି। ତେଣୁ ନିୟମକୁ କୋହଳ କରିବାକୁ ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି। ମାତ୍ର, ନିୟମ କୋହଳ କରିବାକୁ ରିଜର୍ଭ ବ୍ୟାଙ୍କ ରାଜି ହେଉନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏନ୍‌ପିଏ ପରିଚାଳନାକୁ ନେଇ ଫେବ୍ରୁଆରିରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାର ବାସ୍ତବଧର୍ମୀ ନୁହେଁ ଏବଂ ଏହାର ସମୀକ୍ଷା ହେବା ଦରକାର। ରିଜର୍ଭ ବ୍ୟାଙ୍କ ଯେଉଁ ନିୟମ ଜାରି କରିଛି ସେଥିରେ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଯଦି ଋଣ ପରିଶୋଧ ହେଉନାହିଁ ତେବେ ତା’ ପର ଦିନଠାରୁ ଋଣ ସମାଧାନ ଯୋଜନା ପ୍ରସ୍ତୁତ କରାଯାଇପାରିବ। ଏହାର ପରବର୍ତି ୧୮୦ ଦିନ ମଧ୍ୟରେ ଯଦି ସମସ୍ୟାର ସମାଧାନ ନହୁଏ ତେବେ ବ୍ୟାଙ୍କ ନିଜ ଆଡୁ ସେହି ଋଣକୁ ନେଇ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିପାରିବ ଓ ନ୍ୟାସନାଲ୍‌ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌୍‌ଟି)ରେ ଆବେଦନ କରିପାରିବ। ତେବେ ଏସବୁ କାମ କରିବା ବେଳେ ଋଣ ଅର୍ଥର ଅଧା ଟଙ୍କାକୁ ଅଲଗା ରଖିବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛି। ଏହି ନିୟମକୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି। ବ୍ୟାଙ୍କଗୁଡ଼ିକର କହିବା କଥା ହେଊଛି ଏହି ନିୟମ କାର୍ଯ୍ୟକାରୀ କରିବା ଏକ ପ୍ରକାର ଅସମ୍ଭବ। ଋଣର ଅର୍ଥର ଅଧା ଟଙ୍କା ଅଲଗା ରଖିବା ପାଇଁ ଯେଉଁ ସର୍ତ୍ତ ରହିଛି ତାହା ଆମର ବାଲାନ୍‌ସ ସିଟ୍‌କୁ ଗୁରୁତର ଭାବେ ପ୍ରଭାବିତ କରିବ। ବିମୁଦ୍ରାକରଣ ଘୋଷଣା ହେବା ଓ ଏହାର କିଛି ଦିନ ପରେ ଜିଏସ୍‌ଟି ଲାଗୁ କରାଯିବା ଯୋଗୁଁ ଦେଶରେ ନଗଦ ଅର୍ଥ ପ୍ରବାହ ସ୍ୱାଭାବିକ ହୋଇପାରିନାହିଁ। ଏହି ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ନିୟମଟିକୁ କାର୍ଯ୍ୟକାରୀ କରାନଯାଉ ବୋଲି ସରକାର ଚାହୁଁଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସରକାର ଓ ବଡ଼ ବଡ଼ ସଂସ୍ଥା ସହିତ କାରବାର କରୁଥିବା ଛୋଟିଆ ସଂସ୍ଥାଗୁଡ଼ିକୁ ଠିକ୍‌ ସମୟରେ ପେମେଣ୍ଟ୍‌ ମିଳେନାହିଁ। ତେଣୁ ସେମାନେ ଯେଉଁ ଋଣ ନେଇଥାନ୍ତି ତାହାକୁ ଠିକ୍‌ ସମୟରେ ପରିଶୋଧ କରିପାରନ୍ତି ନାହିଁ। ଯଦି ରିଜର୍ଭ ବ୍ୟାଙ୍କର କଠୋର ନିୟମ ଲାଗୁ ହେବ ତେବେ ଏହି ସବୁ ଛୋଟ ଛୋଟ ସଂସ୍ଥା ଦେବାଳିଆ ହୋଇଯିବେ ବୋଲି ସରକାର ଭାବୁଛନ୍ତି।
ଏନ୍‌ଡିଏ ସରକାରଙ୍କ ଶାସନ କାଳରେ ସରକାର ଓ ରିଜର୍ଭ ବ୍ୟାଙ୍କ ମୁହାଁମୁହିଁ ହେବା କିଛି ନୂଆ କଥା ନୁହେଁ। ଏହି କାରଣ ଯୋଗୁଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିଲା। ଏବେବି ସୁଧ ହାରକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ଲାଗି ରହିଛି।

ସମ୍ବନ୍ଧିତ ଖବର