ତିନି ବ୍ୟାଙ୍କ ଉପରୁ ହଟିଲା ଋଣ କଟକଣା, ପିସିଏ କବଳରୁ ମୁକ୍ତି ମିଳିଲା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତିନିଟି ସରକାରୀ ବ୍ୟାଙ୍କ ଉପରୁ ଋଣ କଟକଣା ହଟାଇ ନିଆଯାଇଛି। ସେହି ବ୍ୟାଙ୍କଗୁଡ଼ିକ ହେଉଛି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ। ଆଗାମୀ ଦିନରେ ଏହି ତିନି ବ୍ୟାଙ୍କ ଗ୍ରାହକଙ୍କୁ ଋଣ ପ୍ରଦାନ କରିପାରିବେ। ଏହି ତିନି ବ୍ୟାଙ୍କ ଏନ୍‌ପିଏ ଓ ଅନ୍ୟାନ୍ୟ ମାନଦଣ୍ଡରେ ଉନ୍ନତ ପ୍ରଦର୍ଶନ କରିବାରୁ ସେମାନଙ୍କ ଉପରେ ଲଗାଯାଇଥିବା କଟକଣା ହଟାଇ ନିଆଯାଇଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏନ୍‌ପିଏ ଓ ପୁଞ୍ଜି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଏନ୍‌ପିଏ ପରିମାଣ ତୃତୀୟ ତ୍ରୟମାସ ସୁଦ୍ଧା ୬% ସ୍ତର ତଳକୁ ଖସିଯାଇଛି। ଋଣ କଟକଣା ହଟାଯାଇଥିଲେ ମଧ୍ୟ ଏହି ଦୁଇ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିବ ବୋଲି କହିଛି। କେତେକ ସର୍ତ୍ତ ଲାଗୁ କରି ସେମାନଙ୍କୁ ଋଣ ଆବଣ୍ଟନ କରିବାର ଅନୁମତି ପ୍ରଦାନ କରିଛି। ସେହିପରି, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍‌ କମର୍ସକୁ ସରକାର ପାଣ୍ଠି ପ୍ରଦାନ କରିବା ପରେ ଏହାର ସ୍ଥିତିରେ ଉନ୍ନତି ହୋଇଛି। ଏହାର ଏନ୍‌ପିଏ ମଧ୍ୟ ୬% ତଳକୁ ଖସିଯାଇଛି। ସେଥିପାଇଁ ବ୍ୟାଙ୍କକୁ ଋଣ ଆବଣ୍ଟନର ଅନୁମତି ପ୍ରଦାନ କରାଯାଇଛି। ବ୍ୟାଙ୍କ ଉପରେ ଆଗାମୀ ଦିନରେ ତୀକ୍ଷ୍‌ଣ ନଜର ରଖାଯିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ଉଲ୍ଲେଖଯୋଗ୍ୟ, ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବା ୧୧ଟି ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରମ୍ପଟ୍‌ କରେକ୍ଟିଭ୍ ଆକ୍ସନ (ପିସିଏ) ଅଧୀନରେ ସାମିଲ କରାଯାଇଥିଲା। ପିସିଏରେ ସାମିଲ ହେଉଥିବା ବ୍ୟାଙ୍କଗୁଡ଼ିକୁ ଋଣ ଆବଣ୍ଟନ ପାଇଁ ବାରଣ କରାଯାଏ। କେତେକ ନିର୍ଦିଷ୍ଟ ମାନଦଣ୍ଡରେ ସୁଧାର ଆଣିବା ପରେ ହିଁ ବ୍ୟାଙ୍କଗୁଡ଼ିକୁ ପିସିଏ କବ୍‌ଜାରୁ ବାହାରିବାର ଅନୁମତି ପ୍ରଦାନ କରାଯାଏ। ଏହି ପିସିଏ ପାଇଁ ଅତୀତରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ବ୍ୟାଙ୍କଗୁଡ଼ିକୁ ପିସିଏରୁ ବାହାର କରିବା ପାଇଁ ସରକାର ରିଜର୍ଭ ବ୍ୟାଙ୍କ ଉପରେ ଚାପ ପକାଉଥିଲେ। ସେହି ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ କାମ କରୁଥିବା ଉର୍ଜିତ ପଟେଲ୍‌ ସରକାରଙ୍କ କଥା ଶୁଣିନଥିଲେ। କିଛି ଦିନ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଶକ୍ତିକାନ୍ତ ଦାସ ବ୍ୟାଙ୍କଗୁଡ଼ିକୁ ପିସିଏ କବ୍‌ଜାରୁ ବାହାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର