ପଡ଼ୋଶୀ ଦେଶ ଯିବ ‘ଥମସ୍‌ ଅପ୍‌’

ନୂଆଦିଲ୍ଲୀ: ଭାରତର ନିଜସ୍ୱ ମୃଦୁ ପାନୀୟ ବ୍ରାଣ୍ଡ୍‌ ଥମସ୍‌ ଅପ୍‌ର ମଜା ପଡ଼ୋଶୀ ଦେଶର ଲୋକମାନେ ମଧ୍ୟ ନେଇପାରିବେ। ଥମସ୍‌ ଅପ୍‌ର ମାଲିକ କୋକାକୋଲା ପକ୍ଷରୁ ଏହାକୁ ଶ୍ରୀଲଙ୍କା, ବାଲାଂଦେଶ, ନେପାଳ ଆଦି ଦେଶରେ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଗତ ମାସରେ ଥମସ୍‌ ଅପ୍‌କୁ ବାଲାଂଦେଶ ବଜାରରେ ପ୍ରବେଶ କରାଯାଇଥିଲା। ନିଜର ସ୍ୱତନ୍ତ୍ର ସ୍ୱାଦ ପାଇଁ ଥମସ୍‌ ଅପ୍‌ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରେ ବେଶ ଆଦୃତ। ପୂର୍ବରୁ ପାର୍ଲେ ବିସ୍‌ଲେରି ନାମକ ସଂସ୍ଥା ପାଖରେ ଥିଲା ଥମସ୍‌ ଅପ୍‌। ଏହାକୁ ୧୯୯୩ ମସିହାରେ କୋକାକୋଲା କିଣିନେଇଥିଲା। ଏହା ପରେ ଥମସ୍‌ ଅପ୍‌ ବ୍ରାଣ୍ଡ୍‌ ନିଜର ଅସ୍ଥିତ୍ୱ ହରାଇବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କୋକାକୋଲା ପକ୍ଷରୁ ନିଜ ବ୍ରାଣ୍ଡ୍‌ର ମୃଦୁ ପାନୀୟ ବିକ୍ରି କରିବାକୁ ଅଧିକ ଜୋର ଦିଆଯାଇଥିଲା। କିନ୍ତୁ କିଛି ଦିନ ଭିତରେ କଂପାନି ଜାଣିପାରିଥିଲା ଯେ ଥମସ୍‌ ଅପ୍‌ ପ୍ରତି ଭାରତୀୟମାନଙ୍କର ପ୍ରବଳ ଆଗ୍ରହ ରହିଛି। ତେଣୁ କୋକାକୋଲା ଉକ୍ତ ବ୍ରାଣ୍ଡ୍‌କୁ ଆଉ ବଦଳାଇ ନଥିଲା। ଥମସ୍‌ ଅପ୍‌ ନାମରେ ତାହାକୁ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର