ଟିକ୍ ଟକ୍ ଆପ୍‌ ନିଷିଦ୍ଧ କରିବାକୁ ଦାବି

ନୂଆଦିଲ୍ଲୀ: ଚୀନର ମୋବାଇଲ ଫୋନ୍ ଓ ଟିକ୍ ଟକ୍ ଭଳି ସୋସିଆଲ ମିଡିଆ ଆପ୍‌କୁ ଭାରତରେ ନିଷିଦ୍ଧ କରିବା ଲାଗି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ଅର୍ଥନୈତିକ ଚିନ୍ତନ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ( ଏସ୍‌ଜେଏମ୍‌) ଦାବି କରିଛି। ଏ ନେଇ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି।
ଚୀନ ଆତଙ୍କବାଦୀ ଆକ୍ରମଣକୁ ପରୋକ୍ଷ ସମର୍ଥନ କରୁଥିବା ଭାରତରେ ଚୀନର ସୋସିଆଲ ମିଡିଆ ଆପ୍‌କୁ ତୁରନ୍ତ ବନ୍ଦ କରିବା ଲାଗି ମଞ୍ଚ ଦାବି କରିଛି। ଚୀନର ଏହି ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ ଟିକ୍ ଟକ୍‌କୁ ଭାରତରେ ପ୍ରାୟ ୨୦ କୋଟି ଲୋକ ବ୍ୟବହାର କରୁଛନ୍ତି।
ନିକଟରେ ପୁଲୱାମାଠରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୦ ଜଣ ସିଆରପିଏଫ ଯବାନ ସହିଦ ହେବା ଏବଂ ଜୈସ ଇ ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ଚଳାଇଥିବା ଉଦ୍ୟମକୁ ଚୀନ ବାରମ୍ବାର ପ୍ରତିହତ କରୁଛି। ଏହି ଦୃଷ୍ଟିରୁ ଚୀନର ଏହି ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌କୁ ନିଷିଦ୍ଧ କରିବା ଲାଗି ଦାବି ‌ଏବେ ଜୋର ଧରିଛି। ଏପରିକି ଚୀନ ସହିତ ସମସ୍ତ ପ୍ରକାର ଇ-କମର୍ସ ବ୍ୟବସାୟକୁ ବନ୍ଦ କରିବା ଲାଗି ମଞ୍ଚ କହିଛି। ଭାରତ ସହିତ ବ୍ୟବସାୟିକ ସମ୍ପର୍କରୁ ଚୀନ ବିଶେଷଭାବେ ଲାଭବାନ ହେଉଛି। କିନ୍ତୁ ଅନ୍ୟପଟେ ଚୀନର ଆପ୍‌ଗୁଡ଼ିକ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଭାରତର ଶିଶୁମାନଙ୍କୁ ମାଧ୍ୟମ କରି ଭାରତୀୟ ସମାଜରେ ଏହା ଅଶ୍ଳୀଳ ଚିତ୍ର ଓ ବିଷୟବସ୍ତୁର ପ୍ରସାର କରୁଛି। ଚୀନର କମ୍ପାନି ଗୁଡ଼ିକଠାରୁ ପ୍ରତିଯୋଗିତାର ସମ୍ମୁଖୀନ ହେବା କାରଣରୁ ଭାରତର ଷ୍ଟାର୍ଟଅପ୍ କମ୍ପାନି ଗୁଡ଼ିକ ମଧ୍ୟ କ୍ଷତି ସହୁଛନ୍ତି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର