ନିଷିଦ୍ଧ ହୋଇପାରେ ଟିକ୍ ଟକ୍, ହେଲୋ: କଂପାନିଙ୍କୁ ନୋଟିସ୍‌ ପଠାଇଲେ ସରକାର, ୨୪ଟି ପ୍ରଶ୍ନର ଉତ୍ତର ମାଗିଲେ

ନୂଆଦିଲ୍ଲୀ: ଚୀନ୍‌ର ଦୁଇ ଲୋକପ୍ରିୟ ଆପ୍ ଟିକ୍ ଟକ୍ ଓ ହେଲୋକୁ କେନ୍ଦ୍ର ସରକାର ନୋଟିସ୍ ଜାରି କରିଛନ୍ତି। ଏହି ଦୁଇ ଆପ୍ ଜରିଆରେ ଦେଶ ବିରୋଧୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡ଼ିବା ପରେ କଂପାନିଙ୍କୁ ସରକାର ନୋଟିସ୍‌ ପଠାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଏଥି ସହିତ ୨୪ଟି ପ୍ରଶ୍ନର ଏକ ସେଟ୍‌ ମଧ୍ୟ ଦିଆଯାଇଛି। ଆସନ୍ତା‌ ୨୨ ତାରିଖ ସୁଦ୍ଧା ସବୁ ପ୍ରଶ୍ନର ଉପଯୁକ୍ତ ଉତ୍ତର ନଦେଲେ ଆପ୍‌କୁ ନିଷିଦ୍ଧ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ହେଲୋ ଓ ଟିକ୍ ଟକ୍ ପକ୍ଷରୁ କୁହାଯାଇଛି ଯେ, ଭାରତ ସେମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର। ଲୋକମାନେ ଯେଉଁ ସହଯୋଗ ପ୍ରଦାନ କରିଛନ୍ତି ତାହାକୁ ନେଇ ଆମେ ଅତ୍ୟନ୍ତ ଖୁସି। ‌ଆମେ ସମାଜକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଉଛୁ ଏବଂ ସେଥିପାଇଁ ସବୁ ପ୍ରକାର ନିୟମ ପାଳନ କରିବା ନିମନ୍ତେ ସରକାରଙ୍କୁ ସହଯୋଗ କରିବୁ ବୋଲି ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି। ଆଗାମୀ ତିନି ବର୍ଷରେ ଭାରତରେ ୧ ବିଲିଅନ୍ ଡଲାର ନିବେଶ କରିବେ ବୋଲି ଏହି ଦୁଇ କଂପାନି କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ ସହଯୋଗୀ ସଂସ୍ଥା ସ୍ବଦେଶୀ ଜାଗରଣ ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ଟିକ୍ ଟକ୍ ଓ ହେଲୋକୁ କିଭଳି ଦେଶ ବିରୋଧୀ ଓ ବେଆଇନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି ତାହା ଅବଗତ କରାଯାଇଥିଲା।

TechCircle

ଭାରତୀୟ ବ୍ୟବହାରକାରୀଙ୍କ କୌଣସି ତଥ୍ୟକୁ ଅନ୍ୟ ସରକାର କିମ୍ବା ତୃତୀୟ ପକ୍ଷକୁ ହସ୍ତାନ୍ତର ନକରିବା ପାଇଁ କେନ୍ଦ୍ର ସରକାର ଉଭୟ ଟିକ୍ ଟକ୍ ଓ ହେଲୋ ଠାରୁ ପ୍ରତିଶ୍ରୁତି ମାଗିଛନ୍ତି। ମିଥ୍ୟା ଖବର ପ୍ରଚାରକୁ ରୋକିବା ପାଇଁ କଂପାନି କ’ଣ ସବୁ ପଦକ୍ଷେପ ଗ୍ରହଣ କରୁଛି ତାହା ମଧ୍ୟ ସରକାର ଜାଣିବାକୁ ଚାହିଛନ୍ତି। ଉଭୟ ଆପ୍‌ରେ ୧୧ ହଜାର ବିକୃତ ରାଜନୈତିକ ବିଜ୍ଞାପନ ପୋଷ୍ଟ୍‌ କରାଯାଇଥିବା ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ଜଣାଇବାକୁ ସରକାର କହିଛନ୍ତି। ଆପ୍‌ରେ ଆକାଉଣ୍ଟ୍‌ ଖୋଲିବାର ବୟସ ସୀମାକୁ ୧୩ରୁ ବଢ଼ାଇ ୧୮ ବର୍ଷ କରିବାକୁ ଦୁଇ କଂପାନିକୁ କୁହାଯାଇଛି। ଚୀନ୍‌ର କଂପାନି ‘ବାଇଟ୍‌ଡ୍ୟାନ୍‌ସ’ ଅଧୀନରେ ରହିଛି ଟିକ୍ ଟକ୍ ଓ ହେଲୋ।

ସମ୍ବନ୍ଧିତ ଖବର