ଟିକଟକ୍ ନିଷିଦ୍ଧ: କମ୍ପାନିର ଦିନକୁ କ୍ଷତି ୫ ଲକ୍ଷ ଡଲାର, ୨୫୦ ଚାକିରି ବିପଦରେ

ନୂଆଦିଲ୍ଲୀ: ଚୀନ୍‌ର ଲୋକପ୍ରିୟ ଭିଡିଓ ଆପ୍ ଟିକ୍‌ଟକ୍‌କୁ ଭାରତରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶରେ ନିଷିଦ୍ଧ କରାଯାଇଥିବାରୁ ଏହାର ଆର୍ଥିକ ପ୍ରଭାବ କମ୍ପାନି ଉପରେ ପଡ଼ିଛି। ଟିକ୍‌ଟକ୍‌ର ମୂଳ କମ୍ପାନି ଚୀନର ବାଇଟ୍‌ଡ୍ୟାନ୍ସ ଦିନକୁ ୫ ଲକ୍ଷ ଡଲାର କ୍ଷତି ସହୁଛି। କମ୍ପାନିର ନିବେଶ ମୂଲ୍ୟ ହ୍ରାସ ପାଇବା ସହିତ ବାଣିଜ୍ୟିକ ରାଜସ୍ବ କମିଯାଇଛି। ଏଥିସହିତ ୨୫୦ରୁ ଅଧିକ ନିଯୁକ୍ତି ପ୍ରତି ବିପଦ ଦେଖାଦେଇଛି ବୋଲି କମ୍ପାନି ଏହି କୋର୍ଟ ଫାଇଲିଂରେ ଉଲ୍ଲେଖ କରିଛି। ଭାରତରେ ଏପର୍ଯ୍ୟନ୍ତ ଟିକ୍‌ଟକ୍‌କୁ ପ୍ରାୟ ୩୦ କୋଟି ଲୋକ ଡାଉନଲୋଡ କରିଛନ୍ତି। ବିଶ୍ବରେ ପ୍ରାୟ ୧୦୦ କୋଟି ଲୋକ ଏହାକୁ ଡାଉନଲୋଡ କରିଛନ୍ତି ବୋଲି ବିଶ୍ଳେଷଣ କମ୍ପାନି ସେନସର ଟାୱାର ପକ୍ଷରୁ କୁହାଯାଇଛି। ଏହି ଆପରେ ଅଶ୍ଳୀଳ ବିଷୟବସ୍ତୁ ରହୁଥିବାରୁ ମାଡ୍ରାସ ହାଇକୋର୍ଟ ନିକଟରେ ଏହାର ଡାଉନଲୋଡକୁ ନିଷିଦ୍ଧ କରିବା ପାଇଁ ନିର୍ଦେଶ ଦେଇଥିଲେ। ସରକାରଙ୍କ ଆଇଟି ମନ୍ତ୍ରାଳୟ ଏ ସଂକ୍ରାନ୍ତ ନିର୍ଦେଶନାମା ଦେବା ପରେ ଆପଲ୍ ଏବଂ ଗୁଗୁଲ୍ ସେମାନଙ୍କ ପ୍ଲାଟଫର୍ମରୁ ଏହି ଆପ୍‌କୁ ଗତ ସପ୍ତାହରେ ହଟାଇ ଦେଇଛନ୍ତି। ବାଇଟ୍ ଡ୍ୟାନ୍ସ ବିଶ୍ବର ଏକ ମୂଲ୍ୟବାନ ଷ୍ଟାର୍ଟଅପ୍ କମ୍ପାନି। ଏହାର ମୋଟ ମୂଲ୍ୟ ପ୍ରାୟ ଏବେ ୭୫ ବିଲିଅନ ଡଲାର। ତେବେ ସୁପ୍ରିମକୋର୍ଟ ଗତ ସୋମବାର କହିଛନ୍ତି, ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ବୁଧବାର ଶୁଣାଣିରେ କିଛି ନିଷ୍ପତ୍ତି ନନିଅନ୍ତି ତାହେଲେ ଏହି ନିଷେଧାଦେଶକୁ ଉଠାଇ ନିଆଯିବ। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଗତ ୩ ତାରିଖରେ ଟିକଟକ୍ ଉପରେ ଅନ୍ତରୀଣ ନିଷେଧାଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର