ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମ୍ୟୁଜିକାଲ ଆପ୍ ଟିକ୍-ଟକ୍ । କିଛି ମାସ ତଳେ ଏହି ଆପ୍ ବ୍ୟବହାର ଦ୍ୱାରା ଯୁବକ-ଯୁବତୀମାନଙ୍କ ଜୀବନ ଯାଉଥିବା ଦେଖି ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । କିନ୍ତୁ ଏହାକୁ କିଛି ଦିନ ପରେ ହଟାଇ ଦିଆଯାଇଥିଲା । ଏବେ ପୁଣି ଥରେ ପ୍ରତିବନ୍ଧକ ଭଳି ସମସ୍ୟାର ସାମ୍ନା କରିବାକୁ ଯାଉଛି ଟିକ୍ ଟକ୍ ଆପ୍ । ଟିକ୍ ଟକ୍ ଆପ୍ ସହ ହେଲୋ ଆପ୍କୁ ମଧ୍ୟ ସରକାରଙ୍କ ତରଫରୁ ନୋଟିସ ପଠାଯାଇଛି । ଜୁଲାଇ ୨୨ ତାରିଖ ପୂର୍ବରୁ ନୋଟିସରେ ପଚରାଯାଇଥିବା ୨୧ଟି ପ୍ରଶ୍ନର ଉତ୍ତର ନ ଦେଇ ପାରିଲେ ଏହି ଦୁଇଟି ଆପ୍ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଜଣା ପଡ଼ିଛି । ଦୁଇଟି ଆପ୍ ଜରିଆରେ ଦେଶ ବିରୋଧୀ କାର୍ଯ୍ୟକଳାପ କରାଯାଉଥିବା ଦେଖି ଏଭଳି ନୋଟିସ ଜାରି କରିଛନ୍ତି ସରକାର ।
ସୂଚନା ମୁତାବକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ପଠାଇ ଦୁଇଟି ଆପ୍ ବିରୋଧରେ ଅଭିଯୋଗ କରିଥିଲେ । ଦୁଇଟି ଆପ୍ ଜରିଆରେ ଦେଶ ବିରୋଧୀ କାର୍ଯ୍ୟକଳାପ କରାଯାଉଥିବା ନେଇ ଅଭିଯୋଗ ହେବା ପରେ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ତରଫରୁ ନୋଟିସ ଜାରି କରାଯାଇ ୨୧ଟି ପ୍ରଶ୍ନର ଉତ୍ତର ମଗା ଯାଇଛି । ଉତ୍ତର ଦେବାରେ ବିଫଳ ହେଲେ ଦୁଇଟି ଆପ୍ ଉପରେ ଭାରତରେ ପ୍ରତିବନ୍ଧକ ଲଗାଇ ଦିଆଯିବ ।