ତିରୁପତି ମନ୍ଦିର:ବ୍ୟାଙ୍କ ଜମା ୧୨ ହଜାର କୋଟି ଟପିଲା

ବର୍ଷକୁ ଆୟ ୩୧୦୦ କୋଟି ୮୪୫ କୋଟିର ସୁଧ ମିଳୁଛି

ତିରୁପତି: ତିରୁମାଳାର ଭଗବାନ ଭେଙ୍କଟେଶ୍ବରଙ୍କ ମନ୍ଦିର ଏକ ଧନୀ ମନ୍ଦିର ଭାବେ ଜଣାଶୁଣା। ପ୍ରାୟ ୨୦୦୦ ବର୍ଷର ଏହି ପୂରାତନ ମନ୍ଦିରର ଆୟ ପ୍ରତିବର୍ଷ ବିପୁଳ ମାତ୍ରାରେ ବଢ଼ିଚାଲିଛି। ବ୍ୟାଙ୍କ ଗୁଡ଼ିକରେ ଏହି ମନ୍ଦିରର ମିଆଦୀ ଜମାରାଶି ୧୨ ହଜାର କୋଟି ଟଙ୍କା ଟପିଯାଇଛି। ଏହି ମନ୍ଦିରର ପରିଚାଳନା ତିରୁମାଳା ତିରୁପତି ଦେବସ୍ଥାନମ୍‌ସ (ଟିଟିଡି) ପକ୍ଷରୁ କରାଯାଉଛି। ତେଣୁ ଟିଟିଡି ପକ୍ଷରୁ ଏହି ଟଙ୍କା ସବୁ ବିଭିନ୍ନ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କରେ ଜମା ରହିଛି। ଟିଟିଡି ଅଧିକାରୀଙ୍କ କହିବାନୁଯାୟୀ, ଏହି ଜମା ଉପରେ ବର୍ଷକୁ ପ୍ରାୟ ୮୪୫ କୋଟି ଟଙ୍କା ସୁଧ ମିଳୁଛି। ଏଠାକୁ ସମଗ୍ର ବିଶ୍ବରୁ ବର୍ଷକୁ ପ୍ରାୟ ଅଢ଼େଇ କୋଟି ଶ୍ରଦ୍ଧାଳୁ ଆସନ୍ତି ଏବଂ ବର୍ଷକୁ ମନ୍ଦିରର ଆୟ ପ୍ରାୟ ୩୧୦୦ କୋଟି ଟଙ୍କା ବଢ଼ୁଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଏତଦବ୍ୟତୀତ ଟିଟିଡି ନିକଟରେ ପ୍ରାୟ ୮.୭ ଟନ୍ ସୁନା ରହିଛି। ୮.୭ ଟନ୍ ସୁନା ମଧ୍ୟରୁ ୧୯୩୮ କିଗ୍ରା ସୁନା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ନିକଟରେ ଥିବାବେଳେ ୫୩୮୭ କିଗ୍ରା ସୁନା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ରହିଛି। ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ରଖା ଯାଇଥିବା ୧୩୮୧ କିଗ୍ରା ସୁନାକୁ ନିକଟରେ ଟିଟିଡି କୋଷାଗାରକୁ ଅଣାଯାଇଛି। ସେହିଭଳି ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦାନ କରିଥିବା ୫୫୦ କିଗ୍ରାର ସୁନା ଗହଣା (ପଥର ସହିତ) ରହିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର