କାର୍‌ ସିଟ୍‌ରେ ତ୍ରୁଟି: ଟୟୋଟା ଗଣିବ ୧୭୦୦ କୋଟି କ୍ଷତିପୂରଣ

ଡଲାସ୍‌: କାର୍‌ ସିଟ୍‌ରେ ତ୍ରୁଟି ପାଇଁ ଆମେରିକାର ଏକ ପରିବାରକୁ ଟୟୋଟା କମ୍ପାନି ୨୪୨ ନିୟୁତ ଡଲାରର କ୍ଷତିପୂରଣ ପ୍ରଦାନ କରିବ। ଭାରତୀୟ ମୁଦ୍ରାରେ ଏହି ରାଶି ପ୍ରାୟ ୧୭୦୦ କୋଟି ଟଙ୍କା ହେବ। ଡଲାସସ୍ଥିତ ଏକ ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୦୨ ଲେକ୍ସସ୍‌ ଇଏସ୍‌ ୩୦୦ ମଡେଲ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାରର୍‌ ସମ୍ମୁଖ ସିଟ୍‌ରେ ଗୁରୁତର ତ୍ରୁଟି ଥିବା ଯୋଗୁଁ ପଛ ସିଟ୍‌ରେ ଯାତ୍ରା କରୁଥିବା ଦୁଇଜଣ ଶିଶୁ ଆହତ ହୋଇଥିଲେ। ଏହି ତ୍ରୁଟିକୁ ଟୟୋଟା ମୋଟର କର୍ପୋରେସନ୍‌ ଏବଂ ଟୟୋଟା ମୋଟର ସେଲ୍‌ସ ଅଣଦେଖା କରିଥିବାରୁ ଅଦାଲତ ୧୪୪ ନିୟୁତ ଡଲାରର ଜରିମାନା ଜନିତ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଶିଶୁ ଦୁଇଜଣଙ୍କର ଚିକିତ୍ସା ଓ ଅନ୍ୟାନ୍ୟ କ୍ଷତି ପୂରଣ ବାବଦରେ ୯୨ ନିୟୁତ ଡଲାର ଦେବାକୁ ନିର୍ଦେଶ ଦେଇଛନ୍ତି। କାର୍‌ର ଆଗ ସିଟ୍‌ ବିପଦପୂର୍ଣ୍ଣ ଥିଲା ଏବଂ ଏ ନେଇ କମ୍ପାନି ଗ୍ରାହକଙ୍କୁ ସତର୍କ କରାଇ ନଥିଲା। ଟୟୋଟା ପକ୍ଷରୁ ଏହି ରାୟ ଉପରେ ମତାମତ ଦିଆଯାଇଛି। କାର୍‌ ସିଟ୍‌ରେ ତ୍ରୁଟି ଯୋଗୁଁ ନୁହେଁ ବରଂ ଭୟଙ୍କର ଦୁର୍ଘଟଣା କାରଣରୁ ଶିଶୁମାନେ ଆହତ ହୋଇଥିଲେ ବୋଲି କମ୍ପାନିର ପ୍ରବକ୍ତା ଏରିକ୍‌ ବୁଥ୍‌ କହିଛନ୍ତି। ରିଏଭିସ୍‌ ଏବଂ ଟୟୋଟା ମୋଟର ସେଲ୍‌ସ, ୟୁଏସ୍‌ଏ ମଧ୍ୟରେ ଏହି ମାମଲା ଚାଲିଥିଲା।

ସମ୍ବନ୍ଧିତ ଖବର