ଜାନୁୟାରୀ ୧ରୁ ମହଙ୍ଗା ହେବ ବିଦେଶୀ କମ୍ପାନିର କାର୍‌

ଦର ବଢାଇବେ ଟୟୋଟା, ହୋଣ୍ଡା ଓ ସ୍କୋଡା

ଭାରତୀୟ କାର ବଜାରରେ ବେଶ୍‌ ସଫଳତାର ସହ ବ୍ୟବସାୟ କରୁଥିବା ଦୁଇଟି ଜାପାନୀ କାର୍‌ କମ୍ପାନି ଟୟୋଟା ଓ ହୋଣ୍ଡା ଆସନ୍ତା ଜାନୁୟାରୀ ମାସରୁ ଦର ବଢାଇବେ । କଞ୍ଚାମାଲ, ପରିବହନ ବ୍ୟୟ ଓ ଅନ୍ୟ ଆନୁଷଙ୍ଗିକ ବ୍ୟୟ ବୃଦ୍ଧି କାରଣରୁ ଏହି ଦରବୃଦ୍ଧି ହେବ ବୋଲି ଉଭୟ କମ୍ପାନି କହିଛନ୍ତି ।

ଟୟୋଟା ପକ୍ଷରୁ କୁହାଯାଇଛି ଯେ ଜାନୁୟାରୀରୁ ବିଭିନ୍ନ ମଡେଲର ଦର ପ୍ରାୟ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ତେବେ ଏହି ଦରବୃଦ୍ଧି ଏକ ସ୍ୱାଭାବିକ ପ୍ରକ୍ରିୟା । କମ୍ପାନି ପକ୍ଷରୁ ନିୟମିତ ଭାବରେ କଞ୍ଚାମାଲ, ପରିବହନ ବ୍ୟୟ ଓ ଅନ୍ୟ ଆନୁଷଙ୍ଗିକ ବ୍ୟୟର ସମୀକ୍ଷା କରିବା ପରେ ଏହି ଦରବୃଦ୍ଧି ନିଷ୍ପତ୍ତି ନିଆଯାଇଥାଏ । ଭାରତରେ ଟୟୋଟା କିର୍ଲୋସ୍କର କମ୍ପାନି ସହ ସହବନ୍ଧନ କରି କାର୍‌ ବିକ୍ରି କରୁଛି ।

ଅନ୍ୟପକ୍ଷରେ ହୋଣ୍ଡା ପକ୍ଷରୁ ମଧ୍ୟ ନିଜର ବିଭିନ୍ନ ମଡେଲର ମୂଲ୍ୟ ୨୫ ହଜାର ଟଙ୍କା ବା ୧ରୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ବିଷୟ ଘୋଷଣା କରାଯାଇଛି । ଜାନୁୟାରୀ ୧ରୁ ଏହି ଦରବୃଦ୍ଧି କରାଯିବ । ଧାତୁ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ଦରବୃଦ୍ଧି କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି ।

ଗତ ମାସରେ ସ୍କୋଡା ପକ୍ଷରୁ ମଧ୍ୟ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଥିଲା । କମ୍ପାନି ଜାନୁୟାରୀ ୧ରୁ ନିଜର ବିଭିନ୍ନ ମଡେଲର ମୂଲ୍ୟ ୨ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ।

ସମ୍ବନ୍ଧିତ ଖବର