ମୋବାଇଲ ପୋର୍ଟେବିଲିଟି ଦେୟ ୪ଟଙ୍କାକୁ କମିବ

ନୂଆଦିଲ୍ଲୀ: ମୋବାଇଲ ନମ୍ବର ପୋର୍ଟେବିଲିଟି ପାଇଁ ଆଦାୟ ହେଉଥିବା ଦେୟ ପରିମାଣ କମିବାର ସମ୍ଭାବନା ରହିଛି । ପୂର୍ବରୁ ଏମଏନପି କଲେ ୧୯ ଟଙ୍କା ପଡୁଥିବାବେଳେ ତାହାକୁ ୪ ଟଙ୍କାକୁ କମାଇବାକୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ବିଚାର କରୁଛି । ଏ ନେଇ ଟ୍ରାଇ ପକ୍ଷରୁ ଉଭଭୋକ୍ତା ଓ ବିଭିନ୍ନ ପକ୍ଷଙ୍କ ମତାମତ ଲୋଡାଯାଇଛି । ଆସନ୍ତା ୨୯ ତାରିଖ ସୁଦ୍ଧା ମତାମତ ଜଣାଇବାକୁ ଟ୍ରାଇ କହିଛି ।
ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏମଏନପି ଲାଗୁ ହେବା ପରଠାରୁ ଏହି ସେବାର ଦେୟ ୧୯ ଟଙ୍କା ଥିଲା ।

କିନ୍ତୁ ଇତି ମଧ୍ୟରେ ଗ୍ରାହକମାନଙ୍କ ମଧ୍ୟରେ ଏମଏନପି ଆବେଦନ ସଂଖ୍ୟା ଅନେକଗୁଣ ବଢିଯାଇଛି । ଏହା ସହିତ ଏମଏନପି ସେବା ପ୍ରଦାନ କରୁଥିବା କମ୍ପାନିମାନଙ୍କ ଖର୍ଚ୍ଚ କମିବା ସହ ଆୟ ମଧ୍ୟ ବଢିଚାଲିଛି । ଏସବୁକୁ ବିଚାରକୁ ନେଲେ ଏମଏନପି ଦେୟ ୧୯ ଟଙ୍କା ବେଶ ଅଧିକ ହୋଇଯାଉଛି ବୋଲି ଟ୍ରାଇ ମନେ କରୁଛି । ଏଣୁ ଏହି ଦେୟ ପରିମାଣ ୪ ଟଙ୍କାକୁ କମିବା ଯୁକ୍ତିଯୁକ୍ତ ବୋଲି ଟ୍ରାଇ କହିଛି । ସମସ୍ତଙ୍କ ମତାମତ ମିଳିବା ପରେ ଟ୍ରାଇ ଏ ସଂପର୍କରେ ନିଜର ନିର୍ଦ୍ଦେଶନାମା ଜାରି କରିବ ।

ଦେଶରେ ୨୦୧୧ରେ ଏମଏନପି ଲାଗୁ ହେବାପରଠାରୁ ଟେଲିକମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି । ଅନେକ କମ୍ପାନି ଆସିଛନ୍ତି ଓ ଯାଇଛନ୍ତି । ସେହି ଅନୁପାତରେ ଏମଏନପି ସଂଖ୍ୟା ମଧ୍ୟ ବଢିଛି । ନିକଟରେ ରିଲାଏନ୍ସ କମ୍ୟୁନିକେସନ, ଡୋକୋମୋ ପରି କେତେକ ସେବା ବନ୍ଦ ହେବା ପରେ ସେସବୁ ଗ୍ରାହକ ନିଜ ନିଜର ପୁରୁଣା ନମ୍ବରକୁ ପୋର୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର