ବାୟୋମେଟ୍ରିକ ପ୍ରବେଶ: ଏଣିକି ଷ୍ଟେସନ୍‌ରେ ହ୍ରାସ ପାଇବ ଯାତ୍ରୀଙ୍କ ଭିଡ, ମାରପିଟ ଓ ଠେଲାପେଲା-ସୁବିଧାରେ ମିଳିବ ସିଟ୍‌

ନୂଆଦିଲ୍ଲୀ: ପୁଷ୍ପକ ଏକ୍ସପ୍ରେସ ପରେ ଏବେ ଅନ୍ୟ ଟ୍ରେନର ଜେନେରାଲ ବଗିରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଠେଲାପେଲାର ଆଉ ଶିକାର ହେବାକୁ ପଡ଼ିବ ନାହିଁ। ଅନେକ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ମଧ୍ୟରେ ସିଟକୁ ନେଇ ବଚସା ହୋଇଥାଏ। ତେବେ ଏହାକୁ ଦୃଷ୍ଟିରେ ରଖି ରେଳବାଇ ଆରପିଏଫ୍‌ ପକ୍ଷରୁ ଏକ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଯେଉଁ ଯାତ୍ରୀ ପ୍ରଥମେ ଆସିବ ତାଙ୍କୁ ପ୍ରଥମେ ବସିବାକୁ ସିଟ୍‌ ମିଳିଯିବ।

ଯାତ୍ରୀମାନେ ଜେନେରାଲ ବଗିରେ ପ୍ରବେଶ କରିବା ପାଇଁ ପ୍ରଥମେ ବାୟୋମେଟ୍ରିକ ଦେଇ ଯିବାକୁ ପଡ଼ିବ। ଏଥିଯୋଗୁଁ ଷ୍ଟେସନ୍‌ରେ ଯାତ୍ରୀଙ୍କ ଭିଡ, ମାରପିଟ ଓ ଠେଲାପେଲା ମଧ୍ୟ କମିବ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ ଆରପିଏଫ୍‌ ଷ୍ଟେସନ୍‌ମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲରୁ ଲକ୍ଷ୍ନୌକୁ ଯାଉଥିବା ପୁଷ୍ପକ ଏକ୍ସପ୍ରେସ୍‌ରେ ବାୟୋମେଟ୍ରିକ୍‌ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା। ଏହା ସଫଳ ହେବା ପରେ ଏବେ ଅନ୍ୟ ଟ୍ରେନଗୁଡିକରେ ମଧ୍ୟ ବାୟୋମେଟ୍ରିକ୍‌ ଉପାୟ ଅବଲମ୍ବନ କରାଯିବ ବୋଲି ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର