ରପ୍ତାନିକାରୀ ମାଗିଲେ ୩୦ ହଜାର କୋଟିର ସୁଧମୁକ୍ତ ଋଣ, ୫୦ ପ୍ରତିଶତରୁ ଅଧିକ ରପ୍ତାନି ଅର୍ଡର ବାତିଲ ହେଉଛି

ନୂଆଦିଲ୍ଲୀ: କରୋନା ପାଇଁ ଦେଶର ରପ୍ତାନିକାରୀମାନେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ରପ୍ତାନି କରୁଥିବା କମ୍ପାନି ଗୁଡ଼ିକୁ ବ୍ୟବସାୟ ଚଳାଇ ରଖିବା ପାଇଁ ସରକାର ତୁରନ୍ତ ୩୦ ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରିବାକୁ ଭାରତୀୟ ରପ୍ତାନିକାରୀ ମହାସଂଘ (ଫିଓ) ସରକାରଙ୍କୁ କହିଛି। କମ୍ପାନି ଚଳାଇ ରଖିବାକୁ ବର୍ତ୍ତମାନ ଦେଖାଦେଇଥିବା ନଗଦ ଅର୍ଥର ଅଭାବ ପୂରଣ ଏବଂ ଶ୍ରମଭିତ୍ତିକ ଶିଳ୍ପରେ ବିପୁଳ ଛଟେଇକୁ ରୋକିବା ଲାଗି ଏହି ପୁଞ୍ଜି ଦେବା ଲାଗି ସଂଘ କହିଛି। ଫିଓ ସଭାପତି ଶରଦ କୁମାର ସରାଫଙ୍କ ପକ୍ଷରୁ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖାଯାଇଛି। ସେ ଦେଇଥି‌ବା ଚିଠିରେ ଉଲ୍ଲେଖ କରିଛନ୍ତି, ରପ୍ତାନିକାରୀମାନେ ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ମିଳିଥିବା କ୍ରୟ ଆଦେଶ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ବାତିଲ ହେଉଛି। ଚମଡ଼ା, କାର୍ପେଟ, ହସ୍ତଶିଳ୍ପ ଏବଂ ପୋଷାକ ଆଦି ଲାଇଫ୍‌ ଷ୍ଟାଇଲ୍ କ୍ଷେତ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏସବୁ ଶିଳ୍ପରେ କ୍ରୟ ଆଦେଶ ବାତିଲ ହାର ୭୫ ପ୍ରତିଶତରୁ ଅଧିକ ରହିଛି। ଉପରୋକ୍ତ ପରିମାଣର ସୁଧ ମୁକ୍ତ ପୁଞ୍ଜି ପ୍ରଦାନ କରାଗଲେ ସରକାରଙ୍କ ଉପରେ ମାତ୍ର ୧୯୭୪ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। କିନ୍ତୁ ରପ୍ତାନିକାରୀମାନେ ଏହାଦ୍ବାରା ବହୁମାତ୍ରାରେ ଉପକୃତ‌ ହେବେ। ରପ୍ତାନି ୟୁନିଟ ଗୁଡ଼ିକର ୬ ମାସର ବେତନ, ଭଡ଼ା, ବିଦ୍ୟୁତ ବିଲ୍‌କୁ ଏହି ପୁଞ୍ଜିରେ ସାମିଲ କରାଯିବା ଆବଶ୍ୟକ। ୬ ମାସର ‌ମହଲତ ସହିତ ୧୮ଟି ମାସିକ କିସ୍ତିରେ ଏହି ଋଣ ପରିଶୋଧ କରିବା ସୁବିଧା ରପ୍ତାନିକାରୀମାନଙ୍କୁ ମିଳିବା ଆବଶ୍ୟକ ବୋଲି ସଂଘ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର