ବିକ୍ରି ହେଉଛି ଟ୍ରୁକଲର ତଥ୍ୟ, ଦାମ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ

ବେଙ୍ଗାଲୁରୁ: ଅଜଣା ନମ୍ବରରୁ ଆସୁଥିବା କଲ୍‌ ବିଷୟରେ ଜାଣିବା ପାଇଁ ପ୍ରାୟ ପ୍ରତିଟି ସ୍ମାର୍ଟଫୋନ୍‌ରେ ରହିଛି ଟ୍ରୁକଲର୍‌ ଆପ୍। ଏହି ଆପ୍‌ରେ ଥିବା ଲୋକମାନଙ୍କ ତଥ୍ୟ ଏବେ ଇଣ୍ଟରନେଟ୍ ଜଗତରେ ବିକ୍ରି ହେଉଛି। ଅବଶ୍ୟ ଟ୍ରୁକଲର ସଂସ୍ଥା ତରଫରୁ ଏହି ରିପୋର୍ଟକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଇଣ୍ଟରନେଟ୍‌ର ଅନ୍ଧାରି ମୂଲକ (ଡାର୍କ ୱେବ)ରେ ଟ୍ରୁକଲର୍‌ ବ୍ୟବହାରକାରୀଙ୍କ ନାମ ଓ ମୋବାଇଲ୍ ନମ୍ବର ଭଳି ତଥ୍ୟ ଦେଢ଼ ଲକ୍ଷ ଟଙ୍କା ଭଳି ଦରରେ ବିକ୍ରି ହେଉଛି। ଡାର୍କ ୱେବ ଉପରେ ନଜର ରଖୁଥିବା ସାଇବର୍‌ ନିରାପତ୍ତା ବିଶେଷଜ୍ଞମାନେ ଏହି ସୂଚନା ଦେଇଛନ୍ତି। କିଛି ବ୍ୟକ୍ତିଙ୍କ ତଥ୍ୟ ୧୮ ଲକ୍ଷ ଟଙ୍କା ଭଳି ଉଚ୍ଚ ଦରରେ ମଧ୍ୟ ବିକ୍ରି ହେଉଛି। ୨୦୧୬ରେ ମଧ୍ୟ ଟ୍ରୁକଲର ତଥ୍ୟ ଲିକ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଟ୍ରୁକଲର୍‌ ହେଉଛି ସ୍ବିଡେନ୍‌ର ଏକ କଂପାନି। ଏହା ଅଜଣା ନମ୍ବର ବିଷୟରେ ସୂଚନା ପ୍ରଦାନ କରୁଥିବା ସଂସ୍ଥା। ଭାରତରେ ଟ୍ରୁକଲରର ୬୦-୭୦% ବ୍ୟବହାରକାରୀ ରହିଛନ୍ତି। ଏଠାରେ ଏହି ସଂସ୍ଥା ୟୁପିଆଇ ଭିତ୍ତିକ ପେମେଣ୍ଟ୍‌ ସେବା ମଧ୍ୟ ପ୍ରଦାନ କରୁଛି।

ତଥ୍ୟ ଲିକ୍ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଟ୍ରୁକଲର୍‌ ପକ୍ଷରୁ ତାହାକୁ ଖଣ୍ଡନ କରାଯାଇଛି। ଆମର କୌଣସି ତଥ୍ୟ ଚୋରି ହୋଇନାହିଁ ବୋଲି କଂପାନି କହିଛି। ଆମର କୌଣସି ଗ୍ରାହକଙ୍କ ସମ୍ବେଦନଶୀଳ ତଥ୍ୟକୁ ଅନ୍ୟ କେହି ହାସଲ କରିନାହାନ୍ତି। ବ୍ୟକ୍ତିଗତ କିମ୍ବା ଆର୍ଥିକ ତଥ୍ୟ କିଛି ବି ଚୋରି ହୋଇନାହିଁ ବୋଲି କଂପାନିର ଜଣେ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର