ଟ୍ରମ୍ପ୍‌ଙ୍କ ଟାର୍ଗେଟ୍‌ରେ ବିଶ୍ୱ ବାଣିଜ୍ୟ ସଂଗଠନ

ଓ୍ଵାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି। ଅତୀତରେ ଆମେରିକା ଅର୍ଥନୀତି ପାଇଁ ସଂରକ୍ଷଣଧର୍ମୀ ନୀତି ଗ୍ରହଣ କରିବା ସହିତ ଚୀନ୍‌ ସହିତ ବାଣିଜ୍ୟ ଯୁଦ୍ଧ ଘୋଷଣା କରି ସାରିଥିବା ଟ୍ରମ୍ପ୍‌ ଏବେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)କୁ ଧମକାଇଛନ୍ତି। ଡବ୍ଲ୍ୟୁଟିଓ ନିଜେ କଠୋର ନହେଲେ ଆମେରିକା ଏହି ସଂଗଠନରୁ ନିଜେ ଓହରିଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି। ଖବର ସରବରାହ ସଂସ୍ଥା ବ୍ଲୁମ୍‌ବର୍ଗକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନ ଗଠନ ହୋଇଥିଲା। ଏହି ସଂଗଠନ ଗଠନ ପାଇଁ ହୋଇଥିବା ରାଜିନାମାକୁ ସବୁଠୁ ଖରାପ ବାଣିଜ୍ୟ ରାଜିନାମା ବୋଲି ଟ୍ରମ୍ପ କହିଛନ୍ତି। ଡବ୍ଲ୍ୟୁଟିଓରୁ ଯଦି ଆମେରିକା ଓହରିଯାଏ ତାହେଲେ ଚୀନ୍‌ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ତୁଳନାରେ ବହୁ ଅଧିକ ମାତ୍ରାରେ ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିବ। ଗତମାସରେ ଟ୍ରମ୍ପ କହିଥିଲେ ଗତ କିଛି ବର୍ଷ ହେଲା ଡବ୍ଲ୍ୟୁଟିଓରେ ଆମେରିକାକୁ ଠିକଣା ଢଙ୍ଗରେ ଦେଖାଯାଉନାହିଁ। ତେଣୁ ଜେନେଭାସ୍ଥିତ ଏହି ସଂଗଠନ ତାହାର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ କହିଥିଲେ। ଚୀନ୍‌କୁ ୨୦୦୧ ମସିହାରେ ଡବ୍ଲ୍ୟୁଟିଓର ସଦସ୍ୟତା ପ୍ରଦାନ କରାଯାଇଥିଲା। ଚୀନ୍‌କୁ ଡବ୍ଲ୍ୟୁଟିଓର ସଦସ୍ୟତା ପ୍ରଦାନ କରିବା ସବୁଠାରୁ ବଡ଼ ତ୍ରୁଟି ଥିଲା ବୋଲି ଆମେରିକାର ବାଣିଜ୍ୟ ପ୍ରତିନିଧି ରବର୍ଟ ଲିଗଥାଇଜର କହିଛନ୍ତି। ଡବ୍ଲ୍ୟୁଟିଓର ବିବାଦ ସମାଧାନ ବ୍ୟବସ୍ଥା ଆମେରିକାର ସାର୍ବଭୌମତ୍ୱରେ ହସ୍ତକ୍ଷେପ କରିଛି। ତେଣୁ ଡବ୍ଲ୍ୟୁଟିଓ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ମତ ଦେଇ ଆସିଛନ୍ତି। ଗତବର୍ଷ ଏକ ବିବାବରେ ଆମେରିକା ଡବ୍ଲ୍ୟୁଟିଓରେ ଜିତିଥିଲା। ଏହାଛଡ଼ା ଆମେରିକା କ୍ୱଚିତ ଡବ୍ଲ୍ୟୁଟିଓରେ ଜିତିଛି ବୋଲି ଟ୍ରମ୍ପ କହିଛନ୍ତି। ଗତବର୍ଷ ଆମେରିକା ଜିତିବାର କାରଣ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ ଡବ୍ଲ୍ୟୁଟିଓ ଜାଣି ସାରିଥିଲା ଯଦି ତାଙ୍କ ଦେଶ ଏଥିରେ ବିଜୟ ନହୁଏ ତାହେଲେ ଡବ୍ଲ୍ୟୁଟିଓର ଦେଶ ବାହାରି ଆସିବ।

ସମ୍ବନ୍ଧିତ ଖବର