ଭାରତ, ଚୀନ୍‌କୁ ଟ୍ରମ୍ପ୍‌ଙ୍କ ଧମକ

ସବ୍‌ସିଡି ବନ୍ଦ କରିଦେବେ, ଅନ୍ୟ ଦେଶକୁ ଯୋଗାଉଥିବା ସୁରକ୍ଷା ପାଇଁ ଅର୍ଥ ଦାବି କଲେ

ସିକାଗୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଏବଂ ଚୀନ୍‌କୁ ଧମକାଇଛନ୍ତି। ଭାରତ ଏବଂ ଚୀନ୍‌କୁ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ବନ୍ଦ କରିବା ଲାଗି ଟ୍ରମ୍ପ୍‌ ମତ ଦେଇଛନ୍ତି। ଏପରିକି ଆମେରିକାକୁ ସେ ଏକ ବିକାଶଶୀଳ ରାଷ୍ଟ୍ର ଭାବେ ବିବେଚନା କରନ୍ତି। ଅନ୍ୟ ଦେଶ ତୁଳନାରେ ଆମେରିକା ଅଧିକ ହାରରେ ଅର୍ଥନୈତିକ ପ୍ରଗତି ହାସଲ କରିବା ସେ ଚାହାନ୍ତି ବୋଲି କହିଛନ୍ତି। ଉତ୍ତର ଡାକୋଟାର ଫାର୍ଗୋ ସିଟିରେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟ୍ରମ୍ପ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏପରିକି ବିଶ୍ୱ ବାଣିଜ୍ୟ ସଂଗଠନ ବିରୋଧରେ ତାଙ୍କ ବିଷକୁ ପୁଣି ଓଗାଳିଛନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନ ସମ୍ଭବତଃ ସବୁଠୁ ଖରାପ। ଚୀନ୍‌କୁ ବିଶାଳ ଅର୍ଥନୈତିକ ଶକ୍ତିରେ ପରିଣତ କରିବାରେ ଏହି ସଂଗଠନ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। କେତେକ ଦେଶ ସେତେଟା ବିକାଶ ହାସଲ କରି ନାହାନ୍ତି ବୋଲି ଭାବି ଆମେ ସେମାନଙ୍କୁ ସବ୍‌ସିଡି ପ୍ରଦାନ କରୁଛୁ। ତେବେ ଏସବୁ ବିଷୟ ପାଗଳାମି। ଭାରତ ଏବଂ ଚୀନ୍‌ ସେମାନଙ୍କୁ ବିକାଶଶୀଳ ଦେଶ କହୁଛନ୍ତି। ସେହି ଦୃଷ୍ଟିରୁ ସେମାନେ ଆମଠାରୁ ସବ୍‌ସିଡି ହାସଲ କରୁଛନ୍ତି। କିନ୍ତୁ ବାସ୍ତବରେ ସେମାନେ ଅଭିବୃଦ୍ଧି ହାସଲ କରୁଛନ୍ତି। ତେଣୁ ସେମାନଙ୍କୁ ଅର୍ଥ ପ୍ରଦାନ କରିବା ପାଗଳାମି। ଆମେ ତାହାକୁ ବନ୍ଦ କରିଛୁ ଏବଂ ବନ୍ଦ କରିବାକୁ ଯାଉଛୁ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ୍‌ଙ୍କ ମତରେ ଆମେରିକା ମଧ୍ୟ ଏକ ବିକାଶଶୀଳ ଦେଶ। ଆମେରିକା ମଧ୍ୟ ଆଗକୁ ବଢ଼ୁଥିବାରୁ ବିକାଶଶୀଳ ଅର୍ଥନୀତି ବର୍ଗରେ ଆମେ ଆମେରିକାକୁ ସାମିଲ କରିଛୁ। ତେବେ ଅନ୍ୟ ଦେଶ ତୁଳନାରେ ଆମେ ଅଧିକ ବେଗରେ ଆଗକୁ ବଢ଼ିବାକୁ ଆଗ୍ରହୀ ବୋଲି ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟକୁ ଶ୍ରୋତାମାନେ ତାଳିମାରି ପ୍ରବଳ ପ୍ରଶଂସା କରିଛନ୍ତି।

ଚୀନ୍‌ ସହିତ ରହିଥିବା ବିପୁଳ ମାତ୍ରାର ବାଣିଜ୍ୟିକ ନିଅଣ୍ଟ ସମ୍ପର୍କରେ ଟ୍ରମ୍ପ୍‌ ତାଙ୍କ ଆଭିମୁଖ୍ୟକୁ ପ୍ରକାଶ କରିଛନ୍ତି। ଏଥିଯୋଗୁ ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ତେବେ ସେ ଏହା ମଧ୍ୟ କହିଛନ୍ତି, ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କର ସେ ଜଣେ ବଡ଼ ପ୍ରଶଂସକ ହୋଇଥିଲେ ମଧ୍ୟ ଆମକୁ ନିରପେକ୍ଷ ହେବାକୁ ପଡ଼ିବ ବୋଲି ସେ ଜିନ୍‌ପିଙ୍ଗ୍‌ଙ୍କୁ ସୂଚାଇ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାଠାରୁ ଚୀନ୍‌ ପ୍ରତିବର୍ଷ ୫୦୦ ବିଲିଅନ ଡଲାର ନେବ ଏବଂ ଚୀନ୍‌ର ପୁନର୍ନିର୍ମାଣ କରିବା କାର୍ଯ୍ୟକୁ ଆମେ ଅନୁମତି ଦେଇପାରିବୁ ନାହିଁ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ୍‌ ଆହୁରି କହିଛନ୍ତି, ବାହ୍ୟ ଆକ୍ରମଣରୁ ଧନୀ ଦେଶଗୁଡ଼ିକୁ ଆମେରିକା ଯେଉଁ ସୁରକ୍ଷା ଦେଉଛି ସେଥିପାଇଁ ଆମେରିକାକୁ ଅର୍ଥ ମିଳିବା ଆବଶ୍ୟକ। ଆମେ ସମଗ୍ର ବିଶ୍ୱକୁ ଜଗିଛୁ ଏବଂ ଆମେ ଏହି କାର୍ଯ୍ୟ କରିବାକୁ ରହିଛୁ ବୋଲି ବିଶ୍ୱ ଧରି ନେଇଛି। ବର୍ଷ ବର୍ଷ ଧରି ଅନ୍ୟ ଦେଶକୁ ଆମେ ସୁରକ୍ଷା ଯୋଗାଇ ଆସୁଛୁ। ଫଳରେ ସେମାନେ ଅର୍ଥନୈତିକ ପ୍ରଗତି ହାସଲ କରି ଆସୁଛନ୍ତି। ସେମାନଙ୍କ ସାମରିକ ଖର୍ଚ ଏଥିଯୋଗୁ ଖୁବ୍‌ କମ୍‌ ରହୁଛି। ବିଶ୍ୱରେ ଆମର ସାମରିକ ଖର୍ଚ ସର୍ବାଧିକ ରହୁଛି। ଆମେରିକା ଏହାର ସାମରିକ ଖର୍ଚର ଅଧିକାଂଶ ଅର୍ଥ ଅନ୍ୟ ଦେଶକୁ ସୁରକ୍ଷା ଯୋଗାଇବାରେ ଉପଯୋଗ କରୁଛି। ଏପରିକି ଆମକୁ ଭଲ ପାଉ ନଥିବା ଦେଶଗୁଡ଼ିକର ସୁରକ୍ଷା ଦିଗରେ ମଧ୍ୟ ଅର୍ଥ ଖର୍ଚ କରାଯାଉଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର