ଟିଟିପିଏସ୍‌ ସମ୍ପ୍ରସାରଣକୁ ପରିବେଶ ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦରେ ଫସିଥିବା ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ (ଏନ୍‌ଟିପିସି)ର ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର (ଟିଟିପିଏସ୍‌)ର ସମ୍ପ୍ରସାରଣକୁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପରିବେଶ ମଞ୍ଜୁରି ପ୍ରଦାନ କରିଛି। ୭୭୩୨.୩୫ କୋଟି ଟଙ୍କାର ଏହି ସମ୍ପ୍ରସାରଣ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ଦିଆଯାଇଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ଟିଟିପିଏସ୍‌ରେ ଦୁଇଟି ୬୬୦ ମେଗାଓ୍ଵାଟ୍‌ ବିଶିଷ୍ଟ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌ ସ୍ଥାପନ ଲାଗି ଏନ୍‌ଟିପିସିର ପ୍ରସ୍ତାବ ରହିଛି। ସମ୍ପ୍ରସାରଣ ପାଇଁ ପ୍ରାୟ ୪୪୬ ଏକର ଜମି ଆବଶ୍ୟକ। ତେବେ ଦୁଇଟି ଯାକ ନୂଆ ୟୁନିଟ୍‌ ବର୍ତ୍ତମାନର ପ୍ଲାଣ୍ଟ ପରିସରରେ ହିଁ ସ୍ଥାପନ ହେବ। ଏହି ପ୍ରକଳ୍ପ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ବିଜୁଳି ଚାହିଦା ପୂରଣ କରିବ। ୨୦୨୨ ମସିହା ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଯୋଜନା ରହିଛି। ଏହି ପ୍ରକଳ୍ପ ପାଇଁ ବାର୍ଷିକ ୬.୯ ନିୟୁତ ଟନ୍‌ କୋଇଲା ଆବଶ୍ୟକ। ମହାନଦୀ କୋଲଫିଲ୍‌ଡ୍ସରୁ ଏହି ପ୍ରକଳ୍ପ ପାଇଁ କୋଇଲା ଯୋଗାଇ ଦିଆଯିବା ଲକ୍ଷ୍ୟ ରହିଛି। ତେବେ ଏହି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ପୁରୁଣା ରାଜିନାମା ଆଧାରରେ କମ୍‌ ମୂଲ୍ୟରେ ରାଜ୍ୟକୁ ଏହି ପ୍ରକଳ୍ପରୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ଓଡ଼ିଶା ସରକାର ଜିଦ୍‌ ଧରିଛନ୍ତି। ଏହି କାରଣରୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ମଞ୍ଜୁରି କମିଟି (ଏଚ୍‌ଏଲ୍‌ସିସି) ଉକ୍ତ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ମଞ୍ଜୁରି ଦେଇପାରି ନାହିଁ। ନିକଟରେ ଏହି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟକୁ ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର