ଟିଭି ପ୍ୟାନେଲ୍‌ ଉପରୁ ଆମଦାନି ଶୁଳ୍କ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର, କମିବ ଟିଭି ଦାମ୍

ନୂଆଦିଲ୍ଲୀ : ପୂଜା‌ ଆଉ କିଛି ଦିନ ବାକି ଥିବା ବେଳେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଟିଭି ପ୍ୟାନେଲ୍‌ ଉପରୁ ୫% ଆମଦାନି ଶୁଳ୍କକୁ ହଟାଇ ଦେଇଛନ୍ତି। ଏହାର ପ୍ରଭାବରେ ଟିଭି ଦାମ୍‌ ହ୍ରାସ ପାଇବ। ଓପନ୍ ସେଲ୍‌ ଟିଭି ପ୍ୟାନେଲ୍‌କୁ ଏଲ୍‌ଇଡି ଓ ଏଲ୍‌ସିଡି ଟିଭି ଉତ୍ପାଦନରେ ବ୍ୟବହାର କରାଯାଇଥାଏ। ଏହି ପ୍ୟାନେଲ୍‌ର ଦାମ୍ ଟିଭି ଦାମ୍‌ର ଅଧା ସହ ସମାନ। ସେଥିପାଇଁ ଏହା ଉପରୁ ଆମଦାନି ଶୁଳ୍କ ପ୍ରତ୍ୟାହାର କରାଯାଇଥିବାରୁ ତାହା ଶସ୍ତାରେ ଟିଭି ନିର୍ମାତାଙ୍କ ପାଇଁ ଉପଲବ୍ଧ ହେବ। ସେମାନଙ୍କ ଉତ୍ପାଦନ ଖର୍ଚ ପାଖାପାଖି ୩% କମିଯିବ। ‌ଫଳରେ ସେମାନେ କମ୍ ଦାମ୍‌ର ଟିଭି ବଜାରକୁ ଛାଡ଼ିବେ। କେନ୍ଦ୍ର ସରକାର ୧୫.୬ ଇଞ୍ଚ୍‌ ଏବଂ ତା’ଠାରୁ ବଡ଼ ଟିଭି ପ୍ୟାନେଲ୍‌ ଉପରୁ ଆମଦାନି ଶୁଳ୍କ ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ଓପନ୍ ସେଲ୍ ଟିଭି ପ୍ୟାନେଲ୍ ନିର୍ମାଣରେ ବ୍ୟବହାର କରାଯାଉଥିବା ଚିପ୍ ଅନ୍ ଫିଲ୍ମ, ପ୍ରିଣ୍ଟେଡ୍ ସର୍କିଟ୍‌ ବୋର୍ଡ ଆସେମ୍ବଲି (ପିସିବିଏ) ଏବଂ ଗ୍ଲାସ୍ ବୋର୍ଡ (ସେଲ୍‌) ଉପରେ ଲଗାଯାଇଥିବା ସୀମା ଶୁଳ୍କକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି। ଗତକାଲି ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

୨୦୧୭ ଜୁନ୍ ୩୦ରେ କେନ୍ଦ୍ର ସରକାର ଟିଭି ପ୍ୟାନେଲ୍‌ ଆମଦାନି ଉପରେ ୫% ଶୁଳ୍କ ଲଗାଇଥିଲେ। ତାହାକୁ ଟିଭି ନିର୍ମାତା ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆପ୍ଲାଏନ୍ସ ନିର୍ମାତା ସଂଘ ତରଫରୁ ଘୋର ବିରୋଧ କରାଯାଇଛି। ସେହି ଟିକସକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା।

ସମ୍ବନ୍ଧିତ ଖବର