ନିଜ କର୍ମଚାରୀଙ୍କ ଦରମା କାଟ ଘୋଷଣା କଲା ଟିଭିଏସ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ର ମଧ୍ୟରେ ରହିଛି ଅଟୋମୋବାଇଲ ଉଦ୍ୟୋଗ । ଅଧିକାଂଶ କମ୍ପାନି ଏପ୍ରିଲ ମାସରେ ଗୋଟିଏ ମଧ୍ୟ ଯାନ ବିକ୍ରି କରିନାହାନ୍ତି । ଏହା ଫଳରେ କମ୍ପାନିମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ।
ଦେଶର ପ୍ରମୁଖ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାଣକାରୀ କମ୍ପାନି ଟିଭିଏସ ନିଜ କର୍ମଚାରୀଙ୍କ ଦରମା କାଟ ଲାଗି ନିଷ୍ପତ୍ତି ନେଇଛି । ତେବେ କର୍ମଚାରୀଙ୍କ ପାହ୍ୟା ଅନୁସାରେ ଦରମାକାଟ କରାଯାଇଛି । କନିଷ୍ଠ କର୍ମଚାରୀଙ୍କ ଦରମା ୫ ପ୍ରତିଶତ, ଉଚ୍ଚପଦସ୍ଥ କର୍ମଚାରୀଙ୍କ ଦରମା ୧୫ରୁ ୨୦ ପ୍ରତିଶତ କଟିବ ।
ପୂର୍ବରୁ ଦେଶର ପ୍ରମୁଖ କମ୍ପାନି ରିଲାଏନ୍ସ ନିଜ କର୍ମଚାରୀଙ୍କ ଦରମା କାଟ ସଂପର୍କରେ ଘୋଷଣା କରିଥିଲା । କମ୍ପାନି ପକ୍ଷରୁ ନିଜର ହାଇଡ୍ରୋକାର୍ବନ ଡିଭିଜନର ବରିଷ୍ଠ ଅଧିକାରୀମାନଙ୍କ ଦରମା କାଟିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ ଅଧିକ ଦରମା ନେଉଥିବା କର୍ମଚାରୀଙ୍କ ଦରମା ୩୦ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ କାଟ କରାଯିବ । ଏପରିକି କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ମଧ୍ୟ ନିଜର ସମସ୍ତ ଦରମା କାଟ କରିଛନ୍ତି । କିନ୍ତୁ ବର୍ଷକୁ ୧୫ ଲକ୍ଷରୁ ଟଙ୍କାରୁ କମ ଦରମା ନେଉଥିବା କର୍ମଚାରୀଙ୍କ ଦରମା କାଟ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର