ଜାତିସଂଘରେ ଘୋର ଆର୍ଥିକ ସଙ୍କଟ, କାର୍ଯ୍ୟାଳୟରେ ଏସି, ହିଟର ବନ୍ଦ ରଖିବାକୁ ନିର୍ଦ୍ଦେଶ

ନ୍ୟୁୟର୍କ: ଜାତିସଂଘ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆମେରିକା ସମେତ ଅଧିକାଂଶ ସଦସ୍ୟ ରାଷ୍ଟ୍ର ସେମାନଙ୍କ ବାର୍ଷିକ ଯୋଗଦାନ ରାଶି ଏଯାଏଁ ପ୍ରଦାନ କରି ନଥିବାରୁ ଏପ୍ରକାର ସ୍ଥିତି ସୃଷ୍ଟି ସୃଷ୍ଟି ହୋଇଛି। ଏଥିଯୋଗୁଁ ଜାତିସଂଘର ନ୍ୟୁୟର୍କସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ନିଯୁକ୍ତି ସମେତ ବିଳମ୍ବିତ ରାତିରେ ସଭା ଆଦି ଆୟୋଜନକୁ ବନ୍ଦ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ଜରୁରି ନଥିଲେ କାର୍ଯ୍ୟାଳୟ ପାଇଁ ନୂଆ ଆସବାବପତ୍ର, କମ୍ପ୍ୟୁଟର ଆଦି କ୍ରୟକୁ ମଧ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସଂଧ୍ୟା ୬ଟାରୁ ସକାଳ ୮ଟା ମଧ୍ୟରେ କାର୍ଯ୍ୟାଳୟ ପରିସର‌ରେ ହିଟର କିମ୍ବା ଏସି ଚାଲିପାରିବ ନାହିଁ। ସେହିଭଳି ସମ୍ମିଳନୀ ବେଳେ ପାଣି ବୋତଲ ପ୍ରଦାନକୁ ମଧ୍ୟ ବନ୍ଦ କରାଯାଉଛି। ଜାତିସଂଘର ୩୯ ମହଲା ବିଶିଷ୍ଟ ଏହି ମୁଖ୍ୟାଳୟରେ କେତେକ ଏସ୍‌କାଲେଟର ଏବଂ ଜଳ ଫୁଆରାକୁ ମଧ୍ୟ ବନ୍ଦ କରାଯିବ। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରେସ୍ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ଚିଠି ଲେଖିବା ପରେ ବଜେଟ ବିଭାଗ ଅଧିକାରୀଙ୍କ ପକ୍ଷରୁ ଏଭଳି ମିତବ୍ୟୟିତା ପଦକ୍ଷେପ ଘୋଷଣା କରାଯାଇଛି। ତେବେ ଏହା ବଜେଟ୍ ସଙ୍କଟ ନୁହେଁ ବରଂ ନଗଦ ଅର୍ଥ ପ୍ରବାହ ଜନିତ ସମସ୍ୟା ବୋଲି ଜାତିସଂଘର ଉପ ମହାସଚିବ କାଥେରାଇନ ପୋଲାର୍ଡ କହିଛନ୍ତି। ଗୁଟେରେସ୍ ଜାତିସଂଘ କାର୍ଯ୍ୟାଳୟରେ ସବୁ ବିଭାଗର ମୁଖ୍ୟମାନଙ୍କୁ ମିତବ୍ୟୟିତା ପଦକ୍ଷେପ ଗ୍ରହଣ ପାଇଁ ଚିଠି ଲେଖିବାର ଦିନକ ପରେ ପୋଲାର୍ଡ ଏହା କହିଛନ୍ତି। ଆସନ୍ତା ୧୪ ତାରିଖରୁ ଏହି ମିତବ୍ୟୟିତା ପଦକ୍ଷେପ ଆରମ୍ଭ ହେବ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଜାତିସଂଘର କାର୍ଯ୍ୟ ଏବଂ ପରିଚାଳନାକୁ ଏହା ପ୍ରଭାବିତ କରିବ ବୋଲି ‌ମଧ୍ୟ ଗୁଟେରେସ୍ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆସନ୍ତା ବର୍ଷ ପାଇଁ ଜାତିସଂଘର ବଜେଟ୍ ଉପସ୍ଥାପନ ଗୁଟେରେସ୍ ନିକଟରେ କରିଥିଲେ। ଏହି ବଜେଟ୍‌ ଆକାର ୨.୮୭ ବିଲିଅନ ଡଲାର ରହିଛି। ଏଥିସହିତ ଚଳିତବର୍ଷ ପାଇଁ ସଦସ୍ୟ ଦେଶଗୁଡ଼ିକ ଉପରେ ଜାତିସଂଘର ୧.୩ ବିଲିଅନ ଡଲାର ଏପର୍ଯ୍ୟନ୍ତ ବାକି ପଡ଼ିଛି। ବାକି ପଡ଼ିଥିବା ମୋଟ ରାଶିର ୯୭ ପ୍ରତିଶତ ଅର୍ଥ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା, ମେକ୍ସିକୋ, ଇରାନ, ଇସ୍ରାଏଲ ଏବଂ ଭେନେଜୁଏଲା ଉପରେ ରହିଛି। ଜାତିସଂଘ ବଜେଟ୍ ରାଶିର ସର୍ବାଧିକ ଅର୍ଥାତ୍ ପ୍ରାୟ ୨୨ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର