ବେକାରି ହାର ୨ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶର ବେକାରି ହାର ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ବେକାରି ହାର ୬.୯% ରହିଛି। ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ) ତଥ୍ୟରୁ ଏହା ଜଣାପଡ଼ିଛି। ଗତବର୍ଷ ଅକ୍ଟୋବରରେ ବେକାରି ହାର ୬.୭୫% ଥିଲା। ୨୦୧୭ ବେଳକୁ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୪୦.୭ କୋଟି ଥିଲା। ୨୦୧୮ରେ ତାହା ୨.୪% ହ୍ରାସ ପାଇ ୩୯.୭ କୋଟି ହୋଇଯାଇଛି। ନିଯୁକ୍ତିରେ ଥିବା ଅନେକ ଲୋକ ବେରୋଜଗାର ହୋଇପଡ଼ିଛନ୍ତି। ସିଏମ୍‌ଆଇଇ ରିପୋର୍ଟରୁ ଜଣାପଡ଼ିଛି ଯେ, ଦେଶର ୪୨.୪% ପ୍ରାପ୍ତବୟସ୍କ ଲୋକ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ନିଯୁକ୍ତି ସନ୍ଧାନରେ ଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଚଳିତ ବର୍ଷ ଅକ୍ଟୋବରରେ ୨୯.୫ ନିୟୁତ ଲୋକ ନିଯୁକ୍ତି ସନ୍ଧାନ କରିଥିଲେ। ଗତବର୍ଷ ତୁଳନାରେ ଏହା ଯଥେଷ୍ଟ ଅଧିକ। ୨୦୧୭ରେ ନିଯୁକ୍ତି ସନ୍ଧାନରେ ଥିବା ଲୋକମାନଙ୍କ ସଂଖ୍ୟା ୨୧.୬ ନିୟୁତ ଥିଲା। ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ମାସରେ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଦେଶର ୮୨% ପୁରୁଷ ଓ ୯୨% ମହିଳା ଶ୍ରମିକ ମାସିକ ୧୦ ହଜାର ଟଙ୍କାରୁ କମ୍ ଆୟ କରୁଛନ୍ତି। ସେହି ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୦୧୫ରେ ୪୩% ପୁରୁଷ ଓ ୭୧% ମହିଳା ଶ୍ରମିକ ମାସିକ ୫୦୦୦ ଟଙ୍କାରୁ କମ୍ ଆୟ କରୁଥିଲେ। ବିଗତ କିଛି ବର୍ଷ ଭିତରେ ମଜୁରୀ ପରିମାଣ ବଢ଼ିଥିଲେ ମଧ୍ୟ ଭାରତ ସ୍ବଳ୍ପ ଆୟ ସମସ୍ୟା ଲାଗି ରହିଛି।

ସମ୍ବନ୍ଧିତ ଖବର