ବେକାରି ସମସ୍ୟା ଆହୁରି ବଢ଼ିବ, ନୂଆ ଚାକିରି ସଂଖ୍ୟା ୧୬ ଲକ୍ଷ କମିଯିବ

ନୂଆଦିଲ୍ଲୀ: ମାନ୍ଦାବସ୍ଥାର ପ୍ରଭାବରେ ଦେଶରେ ବହୁତ କମ୍ ସଂଖ୍ୟକ ନୂଆ ଚାକିରି ସୃଷ୍ଟି ହୋଇଛି। ୨୦୧୯-୨୦ରେ ନୂତନ ନିଯୁକ୍ତି ସଂଖ୍ୟା ୧୬ ଲକ୍ଷ କମିଯିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ୨୦୧୮-୧୯ରେ ମୋଟ ୮୯.୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା। ୨୦୧୯-୨୦ରେ ଏହି ସଂଖ୍ୟା ବହୁତ କମିଯିବ ବୋଲି ଏସ୍‌ବିଆଇ ଇକୋରାପ୍ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଚୁକ୍ତି ଭିତ୍ତିରେ ଥିବା ଶ୍ରମିକମାନଙ୍କ ସଂଖ୍ୟା ବହୁତ କମିଛି। ଆସାମ, ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଓଡ଼ିଶାର ଯେଉଁ ଲୋକମାନେ ନିଜ ରାଜ୍ୟ ଛାଡ଼ି ବାହାରକୁ କାର୍ଯ୍ୟ କରିବା ଲାଗି ଯାଇଛନ୍ତି ସେମାନେ ଘରକୁ କମ୍ ପରିମାଣର ଟଙ୍କା ପଠାଇଛନ୍ତି। ଏହି ସବୁ ରାଜ୍ୟର ଲୋକମାନେ ପଞ୍ଜାବ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ କାର୍ଯ୍ୟ କରିବା ପାଇଁ ଯାଇଥାନ୍ତି ଏବଂ ସେଠାରୁ ନିଜ ଘରକୁ ଟଙ୍କା ପଠାନ୍ତି।

୨୦୧୮-୧୯ରେ ଦେଶରେ ୮୯.୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ତଥ୍ୟରୁ ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷରେ ନୂତନ ନିଯୁକ୍ତି ସୃଷ୍ଟିରେ ୧୫.୮ ଲକ୍ଷ ହ୍ରାସ ଘଟିବ। ୨୦୧୯ର ଏପ୍ରିଲ୍‌ରୁ ଅକ୍ଟୋବର ଭିତରେ ଇପିଏଫ୍‌ଓରେ ୪୩.୧ ଲକ୍ଷ ନୂତନ ସଦସ୍ୟ ସାମିଲ ହୋଇଛନ୍ତି। ବର୍ଷ ସାରାରେ ଏଭଳି ନୂତନ କର୍ମଚାରୀଙ୍କ ସଂଖ୍ୟା ୭୩.୯ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଇପିଏଫ୍‌ଓରେ କେବଳ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ତଥ୍ୟ ରହିଛି। ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂଆ କର୍ମଚାରୀ କିମ୍ବା ଆତ୍ମନିର୍ଭରଶୀଳ ‌ଲୋକମାନଙ୍କ ତଥ୍ୟ ନାହିଁ।

ସମ୍ବନ୍ଧିତ ଖବର