ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଆରମ୍ଭ ହେଲା ଏନପିସିଆଇ

ମୁମ୍ବାଇ : ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣ ଉଦ୍ଦେଶ୍ୟରେ ଏନ୍‌ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ କରିଛି । ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ, ଏନ୍‌ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ମିଳିତ ଭାବେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଏନପିସିଆଇ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଶ୍ୱମୋହନ ମହାପାତ୍ର, ଏନପିସିଆଇ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍‌ବେ ଓ ବିଭିନ୍ନ ବ୍ୟାଙ୍କର ଉପସ୍ଥିତ ଥିଲେ । ଗତ ୨ ବର୍ଷରେ ୟୁପିଆଇ ଗ୍ରାହକଙ୍କ ପାଇଁ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି ବୋଲି ଏହି ଅବସରରେ ଏନପିସିଆଇ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍‌ବେ କହିଥିଲେ । ୟୁପିଆଇର ଏହି ପ୍ଲାଟଫର୍ମ ବ୍ୟବସାୟୀ, ବ୍ୟାଙ୍କ ଓ ସାଧାରଣ ଗ୍ରାହକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଆସୁଛି । ଏହା ଉପରେ ଗ୍ରାହକ ବିଶ୍ୱାସ କରୁଥିବାରୁ କାରବାର କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାଆରମ୍ଭ ଫଳରେ ଏହି ବ୍ୟବସ୍ଥାର ସଂପ୍ରସାରିତ ହୋଇ ଅଧିକରୁ ଅଧିକ ଗ୍ରାହକ ନିକଟରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି । ଏନ୍‌ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ କହିଛନ୍ତିି ଯେ, ଡ଼ିଜିଟାଲ କାରବାର ପାଇଁ ୟୁପିଆଇ ଏକ ଉନ୍ନତ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଏହାଦ୍ୱାରା ଦେଶର ଅର୍ଥନୀତି ଡ଼ିଜିଟାଲରେ ପରିଣତ ହୋଇପାରିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ଏହି ଅବସରରେ କହିଛନ୍ତି ଯେ, ଡ଼ିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି ।

ସମ୍ବନ୍ଧିତ ଖବର