ଉର୍ଜିତଙ୍କୁ କେନ୍ଦ୍ରୀୟ ସୂଚନା କମିସନ୍‌ ନୋଟିସ୍

ସୁପ୍ରିମକୋର୍ଟଙ୍କ ରାୟକୁ କରିଛନ୍ତି ଅବମାନନା, ବଡ଼ ଋଣ ଖିଲାପୀଙ୍କ ନାମ ପ୍ରକାଶ କରୁନାହାନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ ନଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଜାଣିଶୁଣି ବଡ଼ ଋଣ ଖିଲାପ କରିଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉର୍ଜିତ ପଟେଲ ମାନିନାହାନ୍ତି। ଏହି ତାଲିକା ପ୍ରକାଶ କରିନାହାନ୍ତି। ଫଳରେ ତାଙ୍କୁ କେନ୍ଦ୍ରୀୟ ସୂଚନା କମିସନ୍‌ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଅସମ୍ମାନ କରିଥିବାରୁ ତାଙ୍କ ଉପରେ କାହିଁକି ସର୍ବାଧିକ ଜରିମାନା ଲାଗୁ ନହେବ ସେ ନେଇ କାରଣ ଦର୍ଶାଇବା ଲାଗି ଏହି ନୋଟିସରେ କୁହାଯାଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଏହି ନୋଟିସର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ବେ ୫୦ କୋଟି ବା ତଦୂର୍ଦ୍ଧ୍ବ ରାଶିର ଋଣ ଖିଲାପୀଙ୍କ ସୂଚନା ଦେବାକୁ ରିଜର୍ଭ ବ୍ୟାଙ୍କ ମନା କରିବା ପରେ କେନ୍ଦ୍ରୀୟ ସୂଚନା କମିସନର ଉର୍ଜିତଙ୍କ ଉପରେ କ୍ଷୁବ୍ଧ ହୋଇ ଏହି ନୋଟିସ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜାଣିଶୁଣି ଋଣ ପରିଶୋଧ କରୁ ନଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିବା ଲାଗି ତତ୍କାଳୀନ ସୂଚନା କମିସନର ଶୈଳେଶ ଗାନ୍ଧୀ ନିଷ୍ପତ୍ତି ନେଇଥିଲେ। ଜୟନ୍ତୀଲାଲ ମାମଲାରେ ସୂଚନା କମିିସନର ଶ୍ରୀ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଦେଶର ସର୍ବୋଚ୍ଚ ଅଦାଲତ କାଏମ୍ ରଖିଥିଲେ। କେବଳ ସେତିକି ନୁହେଁ ଅନାଦାୟ ଋଣ ସମ୍ପର୍କରେ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ଙ୍କ ଚିଠିକୁ ମଧ୍ୟ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା କମିସନର ଶ୍ରୀଧର ଆଚାର୍ଯ୍ୟଲୁ ଏହା ମଧ୍ୟ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣର କହୁଥିବା କଥା ସହିତ ୱେବସାଇଟ୍‌ରେ ଦିଆଯାଇଥିବା ତଥ୍ୟ ମେଳ ଖାଉନାହିଁ। ସୂଚନା କମିସନର ଶ୍ରୀ ଆଚାର୍ଯ୍ୟଲୁ କହିଛନ୍ତି, ଏହି ମାମଲାରେ ରିଜର୍ଭ ବ୍ୟାଙ୍କର ସିପିଆଇଓଙ୍କୁ ଦଣ୍ଡିତ କରାଗଲେ କୌଣସି ଉଦ୍ଦେଶ୍ୟ ସାଧିତ ହେବନାହିଁ। କାରଣ ସେ ରିଜର୍ଭ ବ୍ୟାଙ୍କର ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିବେ। ତେଣୁ ଏହି ତଥ୍ୟ ପ୍ରକାଶ ଓ ସୁପ୍ରିମକୋର୍ଟଙ୍କ ରାୟ ନମାନିବା ଲାଗି ଗଭର୍ଣ୍ଣର ହିଁ ଦାୟୀ।

କୃଷକଙ୍କ ନାମ ପ୍ରକାଶ କରୁଛ, ବଡ଼ ଖିଲାପୀଙ୍କ ନାମ କାହିଁକି ନୁହେଁ?
ପୂର୍ବରୁ ସେପ୍ଟେମ୍ବରରେ କେନ୍ଦ୍ରୀୟ ସୂଚନା କମିସନର ଜାଣିଶୁଣି ଋଣ ପରିଶୋଧରେ ଖିଲାପ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଅର୍ଥ ମନ୍ତ୍ରାଳୟ, ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟକାରିତା ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କକୁ ସାର୍ବଜନୀନ କରିବାକୁ କହିଥିଲେ। ସୂଚନା କମିସନର ଶ୍ରୀଧର ଆଚାର୍ଯ୍ୟଲୁ କହିଥିଲେ, କୃଷକ ମାମୁଲି ଋଣ ଖିଲାପ କରିଲେ ସେମାନଙ୍କ ନାମ ସାର୍ବଜନୀନ କରାଯାଉଛି। କିନ୍ତୁ ୫୦ କୋଟିରୁ ଅଧିକ ଋଣ ପରିଶୋଧ କରି ନଥିବା ବ୍ୟକ୍ତିଙ୍କୁ କାହିଁକି ଛାଡ଼ ଦିଆଯିବ। ଏପରିକି ୫୦ କୋଟି ଟଙ୍କାରୁ ଅଧିକ ଋଣ ନେଇ ପରିଶୋଧ କରି ନଥିବା ବ୍ୟକ୍ତିଙ୍କୁ ଏକକାଳୀନ ପରିଶୋଧ ନାମରେ ସୁଧ ଛାଡ଼ ଓ ଅନ୍ୟାନ୍ୟ ରିହାତି ପ୍ରଦାନ କରାଯାଉଛି। ସେମାନଙ୍କ ଇଜ୍ଜତ ବଞ୍ଚାଇବା ପାଇଁ ସାଧାରଣରେ ନାମ ପ୍ରକାଶ କରାଯାଉ ନାହିଁ। କମିସନ ଏହା ମଧ୍ୟ କହିଛନ୍ତି ଯେ, ୧୯୯୮ରୁ ୨୦୧୮ ମଧ୍ୟରେ ଦେଶରେ ୩୦ ହଜାର କୃଷକ ଋଣ ପରିଶୋଧ କରି ନପାରିବା ଲଜ୍ଜାରେ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର