ଉଷା ମାର୍ଟିନ୍‌ର ଇସ୍ପାତ ବ୍ୟବସାୟକୁ ହାତେଇଲା, ଟାଟା ସ୍ପଞ୍ଜ

ଜାମସେଦପୁର: ଟାଟା ଷ୍ଟିଲ୍ ଲିମିଟେଡର ସହଯୋଗୀ କମ୍ପାନି ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ ଉଷା ମାର୍ଟିନ ଲିମିଟେଡର ଇସ୍ପାତ ବ୍ୟବସାୟକୁ ଅଧିଗ୍ରହଣ କରିଛି। ଟାଟା ସ୍ପଞ୍ଜ ଏବଂ ଉଷା ମାର୍ଟିନ ଲିମିଟେଡର ଅଧିକାରୀମାନଙ୍କୁ ନେଇ ଏକ ଟାଉନହଲ୍ ବୈଠକ ପ୍ରଥମେ ଅନୁଷ୍ଠିତ ହେବା ପରେ ଦୁଇ କମ୍ପାନିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏଠାରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଉଷା ମାର୍ଟିନ ଲିମିଟେଡର ଅଧିକାରୀମାନଙ୍କୁ ଟାଟା ସ୍ପଞ୍ଜ୍ ର ପରିଚାଳନା ନିର୍ଦେଶକ ସଞ୍ଜୟ ପଟ୍ଟନାୟକ ଉଦବୋଧନ ଦେଇଥିଲେ। ଟାଟା ସ୍ପଞ୍ଜ ପରିବାରକୁ ଉଷା ମାର୍ଟିନର ଅଧିକାରୀମାନଙ୍କୁ ସେ ସ୍ବାଗତ କରିଥିଲେ। ଉଷା ମାର୍ଟିନ ଟାଟା ଷ୍ଟିଲ୍ ଗ୍ରୁପର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଥିବାରୁ ଏହା ଟାଟା ସ୍ପଞ୍ଜର ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଭାରତ ଏବେ ଅଭିବୃଦ୍ଧିର ଶୀର୍ଷରେ ରହିଛି। ଇସ୍ପାତ ଶିଳ୍ପର ସହ ଜଡ଼ିତ ସବୁ ସଂସ୍ଥା ପାଇଁ ଏହି ଅଭିବୃଦ୍ଧି ଫାଇଦା ନେବାର ସୁଯୋଗ ଆଣିଛି ବୋଲି ସେ ମତ ଦେଇଥିଲେ। ଉଷା ମାର୍ଟିନ ହେଉଛି ଏକ ପ୍ରତିଷ୍ଠିତ ଓୟାର ରଡ୍ ଉତ୍ପାଦନକାରୀ ସଂସ୍ଥା । ବଜାରରେ ଏହାର ଉଲ୍ଲେଖନୀୟ ଅଂଶ ରହିଛି। ଟାଟା ପରିବାର ମଧ୍ୟକୁ ଉଷା ମାର୍ଟିନର ସବୁ କର୍ମଚାରୀଙ୍କୁ ସ୍ବାଗତ କରିବା ସୁଯୋଗ ମୋତେ ମିଳିଛି। ଆପଣମାନଙ୍କ ସହିତ ଗର୍ବ ଏବଂ ବିନୟର ସହିତ କାର୍ଯ୍ୟକରି କମ୍ପାନି ପାଇଁ ଅର୍ଥପୂର୍ଣ୍ଣ ଯୋଗଦାନ କରିବାର ସୁଯୋଗ ମଧ୍ୟ ମିଳିଛି ବୋଲି ସେ କହିଥିଲେ। ଏହି ଅବସରରେ ଟାଟା ଷ୍ଟିଲର ଉପସଭାପତି (କର୍ପୋରେଟ୍ ସର୍ଭିସେସ) ଚାଣକ୍ୟ ଚୌଧୁରୀ, ଟାଟା ସ୍ପଞ୍ଜର ଅତିରିକ୍ତ ନିର୍ଦେଶକ ଆଶିଷ ଅନୁପମ, ଉଷା ମାର୍ଟିନ ଲିମିଟେଡର ସଭାପତି ଦେବାଶିଷ ମଜୁମଦାର, ଏଭିପି (ଏଚଆର ଏବଂ ଆଇଆର) ସୁଦୀପ୍ତୋ ଲାହିରୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବରରେ ଉଷା ମାର୍ଟିନ ଲିମିଟେଡର ଇସ୍ପାତ ବ୍ୟବସାୟକୁ ଅଧିଗ୍ରହଣ କରିବା ପାଇଁ ଟାଟା ଷ୍ଟିଲ୍ ଏକ ରାଜିନାମା କରିଥିଲା। ଏହି ଅଧିଗ୍ରହଣ ୪୩୦୦ କୋଟିରୁ ୪୭୦୦ କୋଟି ଟଙ୍କା ମଧ୍ୟରେ ହୋଇଥିବା କୁହାଯାଉଛି। ଏଥିରେ ଉଷା ମାର୍ଟିନ ଲିମିଟେଡର ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଜାମସେଦପୁର ଇସ୍ପାତ କାରଖାନା ସମେତ ଆଲୟ ଭିତ୍ତିକ ଲଙ୍ଗ୍ ପ୍ରଡକ୍ଟ, କାର୍ଯ୍ୟକ୍ଷମ ଥିବା ଏକ ଲୁହାପଥର ଖଣି, ଏବେ ବିକାଶ କରାଯାଉଥିବା ଏକ କୋଇଲା ଖଣି ଏବଂ ନିଜସ୍ବ ପାୱାର ପ୍ଲାଣ୍ଟ ରହିଛି। ଟାଟା ସ୍ପଞ୍ଜ ଦେଶର ସର୍ବବୃହତ୍ ମର୍ଚାଣ୍ଟ ସ୍ପଞ୍ଜ ଆଇରନ କମ୍ପାନି ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାର ବିଲେଇପଦାରେ ଏହାର ପ୍ଲାଣ୍ଟ ରହିଛି। ଏହି କମ୍ପାନିର ବାର୍ଷିକ ସ୍ପଞ୍ଜ ଆଇନର ଉତ୍ପାଦନ କ୍ଷମତା ୩,୯୦,୦୦୦ ଟିପିଏ ରହିଛି।

ସମ୍ବନ୍ଧିତ ଖବର