ଭାରତରେ ତିଆରି ହେବ ଆମେରିକା ଯୁଦ୍ଧ ବିମାନ ଡେଣା

ନୂଆଦିଲ୍ଲୀ: ଆମେରିକାର ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଲକ୍‌ହିଡ୍‌ ମାର୍ଟିନ୍‌ ପକ୍ଷରୁ ଏଫ୍‌-୧୬ ଯୁଦ୍ଧ ବିମାନର ଡେଣାକୁ ଭାରତରେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଡେଣାଗୁଡ଼ିକୁ ଟାଟା ଆଡଭାନ୍ସଡ୍‌ ସିଷ୍ଟମସ୍‌ ଲିମିଟେଡ୍‌ ଜରିଆରେ ନିର୍ମାଣ କରାଯିବ। ହାଇଦ୍ରାବାଦଠାରେ ଡେଣାଗୁଡ଼ିକୁ ନିର୍ମାଣ କରାଯିବ। ଏହି କାମ ୨୦୨୦ରୁ ଆରମ୍ଭ ହେବ ବୋଲି ଲକ୍‌ହିଡ୍‌ ମାର୍ଟିନ୍‌ର ଉପସଭାପତି (ରଣନୀତି) ବିବେକ ଲାଲ୍‌ କହିଛନ୍ତି। ଏଫ୍‌-୧୬ର ଡେଣାଗୁଡ଼ିକୁ କଂପାନିର ଇସ୍ରାଏଲ୍‌ରେ ଥିବା କେନ୍ଦ୍ରରେ ଉତ୍ପାଦନ କରାଯାଉଛି। ଭବିଷ୍ୟତର ସମସ୍ତ ଡେଣାକୁ ହାଇଦ୍ରାବାଦରେ ନିର୍ମାଣ କରିବାକୁ କଂପାନି ଯୋଜନା ରଖିଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନା ପାଇଁ ୧୧୪ ଯୁଦ୍ଧ ବିମାନ କିଣିବାକୁ ଭାରତ ସରକାର ଟେଣ୍ଡର୍‌ ଆହ୍ଵାନ କରିଛନ୍ତି। ସେହି ଟେଣ୍ଡର୍‌ ହାସଲ କରିବା ପାଇଁ ବିଶ୍ୱର ପ୍ରମୁଖ ଯୁଦ୍ଧ ବିମାନ ନିର୍ମାତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ସେଥି ମଧ୍ୟରୁ ଗୋଟିଏ କଂପାନି ହେଉଛି ଲକ୍‌ହିଡ୍‌ ମାର୍ଟିନ୍‌। ତେବେ ଡେଣା ଉତ୍ପାଦନ ନିଷ୍ପତ୍ତିର କୌଣସି ସମ୍ପର୍କ ଏହି ଟେଣ୍ଡର୍‌ ସହିତ ନାହିଁ ବୋଲି ଶ୍ରୀ ଲାଲ୍‌ ସ୍ପଷ୍ଟ କରିଛନ୍ତି।
ଭାରତର ଯୁଦ୍ଧ ବିମାନ ଟେଣ୍ଡର୍‌ ହାସଲ କରିବା ଦୌଡ଼ରେ ଲକ୍‌ହିଡ୍‌ ମାର୍ଟିନ୍‌ ବ୍ୟତୀତ ବୋଇଙ୍ଗ୍‌, ସ୍ୱିଡେନ୍‌ର ସାବ୍‌, ଫ୍ରାନ୍ସର ଡାସଲ୍ଟ ସିଷ୍ଟମ୍ସ ଏସ୍‌ଇ, ୟୁରୋଫାଇଟର୍‌ ଓ ରୁଷିଆର କଂପାନି ରହିଛନ୍ତି। ଡାସଲ୍ଟର ରାଫେଲ୍‌ ଯୁଦ୍ଧ ବିମାନ କିଣାକିଣିକୁ ନେଇ ଭାରତରେ ରାଜନୈତିକ ବିତର୍କ ଲାଗି ରହିଛି। ବୋଇଙ୍ଗ୍‌ ଏହାର ସୁପର୍‌ ହର୍ନେଟ୍‌ ଓ ସାବ୍‌ ଏହାର ଗ୍ରିପେନ୍‌ ଫାଇଟର୍‌ ଯୁଦ୍ଧ ବିମାନ ଭାରତକୁ ବିକ୍ରି କରିବାକୁ ଚାହୁଛି।

ସମ୍ବନ୍ଧିତ ଖବର