ବେଦାନ୍ତର ଟୁଟିକୋରିନ କପର ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ଦେଶର କ୍ଷତି ୨୦ ହଜାର କୋଟି

ନୂଆଦିଲ୍ଲୀ : ତାମିଲନାଡୁର ଟୁଟିକୋରିନ ଠାରେ ଥିବା ବେଦାନ୍ତର କପର ପ୍ଲାଣ୍ଟ ବନ୍ଦ ହେବା କାରଣରୁ ଦେଶକୁ କପର (ତମ୍ବା) ଆମଦାନୀ କରିବାକୁ ପଡୁଛି । ଏହା ଦ୍ୱାରା ଭାରତୀୟ ଅର୍ଥନୀତିକୁ ପ୍ରାୟ ୨୦ ହଜାର କୋଟିର କ୍ଷତି ସହିବାକୁ ପଡିଛି ବୋଲି କମ୍ପାନି ତରଫରୁ କୁହାଯାଇଛି । ଆଜି ଜାତୀୟ ଗ୍ରୀନ ଟ୍ରିବୁନାଲ ବେଦାନ୍ତକୁ କୌଣସି ଅନ୍ତରୀଣ ରିହାତି ଦେବାକୁ ମନାକରିବା ପରେ ପ୍ରତିକ୍ରିୟା ପ୍ରକାଶ କରି କମ୍ପାନି ଏହା କହିଛି ।
ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ଦେଶରେ ତମ୍ବା ବା କପର ଉତ୍ପାଦନ ହ୍ରାସ ପାଉଛି । ଫଳରେ କପର ବ୍ୟବହାର କରୁଥିବା ବିଭିନ୍ନ ଶିଳ୍ପ ବିଶେଷକରି ଇଲେକ୍ଟ୍ରିକାଲ ଶିଳ୍ପ ପ୍ରଭାବିତ ହେଉଛନ୍ତି । ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ପ୍ରାୟ ୨ ବିଲିୟନ ଡଲାର ମୂଲ୍ୟର କପର ବିଦେଶରୁ ଆମଦାନୀ କରିବାକୁ ପଡିବ ବୋଲି ଆକଳନ କରାଯାଉଛି । ଟୁଟିକୋରିନଠାରେ ବନ୍ଦ ଥିବା ବେଦାନ୍ତ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୪ ଲକ୍ଷ ଟନ । ଏହା ବନ୍ଦ ହୋଇଗଲେ ଦେଶର କପର ଉତ୍ପାଦନ ପ୍ରାୟ ଅଧା କମିଯାଇଛି ।

ସୂଚନାଯୋଗ୍ୟ ଯେ ବେଦାନ୍ତର ଶାଖା କମ୍ପାନି ଷ୍ଟେରଲାଇଟର କପର ପ୍ଲାଣ୍ଟକୁ ବନ୍ଦ କରିବାକୁ ଗତ ମେ ମାସରେ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ପ୍ଲାଣ୍ଟ ବନ୍ଦ ଲାଗି ଲୋକମାନଙ୍କ ବିକ୍ଷୋଭ ହିଂସାତ୍ମକ ହେବାରୁ ପୁଲିସ ଗୁଳିରେ ୧୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର