ଖଣି ନିଲାମକୁ ବେଦାନ୍ତର ଅପେକ୍ଷା

ଭୁବନେଶ୍ୱର: ବର୍ତମାନ କଂଚାମାଲ୍ ଆବଶ୍ୟକତା ଓଏମସି ଏବଂ ଆମଦାନି ଜରିଆରେ ପୂରଣ କରୁଥିବା ବେଦାନ୍ତ ଲିମିଟେଡ୍ ଆଗକୁ ହେବାକୁ ଥିବା କୋଇଲା ଓ ବକ୍ସାଇଟ୍ ଖଣି ନିଲାମରେ ଭାଗ ନେବ। କଞ୍ଚାମାଲ୍ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଖଣି ନିଲାମକୁ ବେଦାନ୍ତ ଚାହିଁ ରହିଛି। ଆଗାମୀ ନିଲାମରେ ଆମେ ଭାଗ ନେବୁ ବୋଲି ବେଦାନ୍ତର ସିଇଓ ଅଜୟ ଦୀକ୍ଷିତ କହିଛନ୍ତି। ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ ଠାରେ ଆୟୋଜନ କରାଯାଇଥିବା ଆନ୍ତର୍ଜାତିକ ଆଲୁମିନିୟମ୍ ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୧୯ ଅବସରରେ ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ସେ କହିଛନ୍ତି ଯେ,ବର୍ତମାନ ଆମ ଆବଶ୍ୟକତାର ୪୦% ବକ୍ସାଇଟ୍ ଓଏମ୍‌ସି ପ୍ରଦାନ କରୁଥିବା ବେଳେ ଭାରତର ବିଭିନ୍ନ ସଂସ୍ଥା ଠାରୁ ୩୦% କିଣୁଛୁ ଓ ବଳକା ୩୦% ବକ୍ସାଇଟ୍ ବିଦେଶରୁ ଆମଦାନି କରୁଛୁ। ୨୦୧୯ରେ କେତେକ ଖଣି ନିଲାମ ହେବ ବୋଲି ଆମେ ଭାବୁଛୁ। ଆମେ ସେଥିରେ ଭାଗ ନେବୁ ବୋଲି ସେ କହିଛନ୍ତି। ସେ କହିଲେ, ଭାରତରେ ଉତ୍ପାଦନ ହେଉଥିବା ଆଲୁମିନିୟମ ମଧ୍ୟରୁ ଅଧିକାଂଶ ଇଲେକ୍ଟ୍ରିକ୍ କଣ୍ଡକ୍ଟର ପାଇଁ ବ୍ୟବହାର କରାଯାଉଛି। କିନ୍ତୁ ଆଗାମୀ ଦିନରେ ଏରୋସ୍ପେସ୍ ଠାରୁ ଆରମ୍ଭ କରି ରେଳ ଏବଂ ଇଲେକ୍ଟ୍ରିକ୍ ଯାନ ପର୍ଯ୍ୟନ୍ତ ସବୁ ଥିରେ ଆଲୁମିନିୟମ ବ୍ୟବହାର ହେବ। ତେଣୁ ଏହି ଧାତୁର ଚାହିଦା ଆଗାମୀ ଦିନରେ ବଢ଼ିବ ବୋଲି ସେ କହିଛନ୍ତି। ଭାରତରେ କାରବାର କରୁଥିବା ଆଲୁମିନିୟମ କଂପାନିଗୁଡ଼ିକର ସବୁଠୁ ବଡ଼ ସମସ୍ୟା ଟିକସ ଓ ଲଜିଷ୍ଟିକ୍ ଖର୍ଚ ବୋଲି ସେ କହିଛନ୍ତି। ଯଦି ନିଜର ଖଣି ଥାଆନ୍ତା ତେବେ କଂପାନି କଞ୍ଚାମାଲ୍‌ରେ ୧୫% ସଞ୍ଚୟ କରିପାରନ୍ତା ବୋଲି ସେ କହିଛନ୍ତି। ଟିକସ ବ୍ୟବସ୍ଥା ଶିଳ୍ପକୁ ସୁହାଇବା ଭଳି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଦେଶକୁ ଆସୁଥିବା ଶସ୍ତା ଆଲୁମିନିୟମ୍‌କୁ ରୋକିବା ପାଇଁ ୧୦%ର ଆମଦାନି ଶୁଳ୍କ ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଝାରସୁଗୁଡ଼ା ଠାରେ ବେଦାନ୍ତ ପକ୍ଷରୁ ଏକ ଆଲୁମିନିୟମ୍‌ ପାର୍କ ସ୍ଥାପନ କରିବାର ଯୋଜନା ରହିଛି। ଏଥିପାଇଁ ୨୪୦ ଏକର ଜମି ନିମେନ୍ତ କଂପାନି ସରକାରଙ୍କ ନିକଟର ଆବେଦନ କରିଛି। ଜମି ଖୁବଶୀଘ୍ର ମିଳିଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ବର୍ତମାନ ସୁଦ୍ଧା ଏହି ଆଲୁମିନିୟମ୍ ପାର୍କରେ ନିଜର ୟୁନିଟ୍ ସ୍ଥାପନ କରିବା ପାଇଁ ୨୫ଟି କଂପାନି ଆଗ୍ରହ ଦେଖାଇଥିବା ସେ କହିଛନ୍ତି। କଂପାନି ସେମାନଙ୍କୁ ଏହାର ମୋଟ୍ ଉତ୍ପାଦନର ୨୫% ଧାତୁ ଯୋଗାଇ ଦେବ। ପାର୍କରେ ଏହି କଂପାନିଗୁଡ଼ିକ ଆଲଏ ହ୍ବିଲ୍, କାର୍‌ ବଡ଼ି ଆଦି ନିର୍ମାଣ କରିବେ। ଆଲୁମିନିୟମ୍ ଚାହିଦା ଉପରେ ସେ କହିଛନ୍ତି ଯେ, ବର୍ତମାନ ଏହି ଧାତୁର ଚାହିଦା ୭-୮% ହାରରେ ଆଗକୁ ବଢ଼ୁଛି। ବିଭିନ୍ନ କ୍ଷେତ୍ରରେ ଆଲୁମିନିୟମ୍ ବ୍ୟବହାର ହେଲେ ଆଗାମୀ ଦିନରେ ତାହା ୧୪-୧୫% ହାରରେ ଆଗକୁ ବଢ଼ିବ ।

ସମ୍ବନ୍ଧିତ ଖବର