ବିଜୟା, ଦେନା ବ୍ୟାଙ୍କର ଗ୍ରାହକ ହୋଇଯିବେ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକ

ମୁମ୍ବାଇ(ପିଟି): ବ୍ୟାଙ୍କ ଅଫ୍ ବରୋଦା ସହିତ ଆସନ୍ତା ଏପ୍ରିଲ ପହିଲାରୁ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ କାର୍ଯ୍ୟକାରୀ ହେବ। ଏହାଦ୍ବାରା ବିଜୟା ଓ ଦେନା ବ୍ୟାଙ୍କର ଶାଖା ଗୁଡ଼ିକ ବ୍ୟାଙ୍କ ଅଫ୍ ବରୋଦା ଶାଖା ଭାବେ ପରିଗଣିତ ହେବେ। କେବଳ ସେତିକି ନୁହେଁ, ଏହି ଦୁଇଟି ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକଭାବେ ବିବେଚିତ ହେବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି କୁହାଯାଇଛି। ଚଳିତ ସପ୍ତାହରେ ବ୍ୟାଙ୍କ ଅଫ ବରୋଦାର ପୁଞ୍ଜି ସ୍ଥିତିରେ ଉନ୍ନତି ଆଣିବା ଲାଗି ସରକାର ୫୦୪୨ କୋଟି ଟଙ୍କା ଏହି ବ୍ୟାଙ୍କକୁ ପ୍ରଦାନ କରିଛନ୍ତି। ମିଶ୍ରଣ ଯୋଜନା ଅନୁଯାୟୀ ବିଜୟା ବ୍ୟାଙ୍କର ଅଂଶଧାରୀମାନେ ସେମାନଙ୍କ ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାର ୪୦୨ଟି ସେୟାର ପାଇବେ। ସେହିଭଳି ଦେନା ବ୍ୟାଙ୍କର ସେୟାରଧାରୀମାନେ ସେମାନଙ୍କ ୧୦୦୦ ସେୟାର ବଦଳରେ ବ୍ୟାଙ୍କ ଅଫ ବରୋଦାର ୧୧୦ଟି ସେୟାର ପାଇବେ। ଗତବର୍ଷ ସେପ୍ଟେମ୍ବରରେ ସରକାର ଏହି ବ୍ୟାଙ୍କ ତିନୋଟିର ମିଶ୍ରଣ ଘୋଷଣା କରିଥିଲେ। ଏହି ମିଶ୍ରଣ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ବ୍ୟାଙ୍କ ଅଫ ବରୋଦା ହେବ ଦେଶର ତୃତୀୟ ବୃହତ୍ ବ୍ୟାଙ୍କ।

ସମ୍ବନ୍ଧିତ ଖବର