ମାଲ୍ୟାଙ୍କ ଶେଷ ଆଶା ‘ରାଜନୈତିକ ଆଶ୍ରୟ’

ମୁମ୍ବାଇ : ଭାରତ ପ୍ରତ୍ୟର୍ପଣରୁ ନିସ୍ତାର ପାଇବା ଲାଗି ପଳାତକ ମଦ ବ୍ୟବସାୟୀ ତଥା ବ୍ୟାଙ୍କ ଠକେଇ ଅଭିଯୁକ୍ତ ବିଜୟ ମାଲ୍ୟାଙ୍କ ଆଇନଜୀବୀ ଟିମ୍ ବିଭିନ୍ନ ବିକଳ୍ପ ଉପରେ ବିଚାରବିମର୍ଶ ଜାରି ରଖିଛନ୍ତି। ବ୍ରିଟେନ୍‌ର ସୁପ୍ରିମକୋର୍ଟରେ ଆବେଦନ କରିବା ଲାଗି ତାଙ୍କୁ ଅନୁମତି ନିମିଳିବା ପରେ ତାଙ୍କ ଚିନ୍ତା ବହୁତ ବଢ଼ିଯାଇଛି। ପ୍ରତ୍ୟର୍ପଣକୁ ଏଡ଼ାଇ ଲାଗି ତାଙ୍କର ଶେଷ ଆଶା ହେଉଛି ବ୍ରିଟେନ୍‌ରେ ରାଜନୈତିକ ଆଶ୍ରୟ ନେବା ଲାଗି ଆବେଦନ କରିବା। ତାଙ୍କ ଆଇନଜୀବୀ ଟିମ୍ ଏନେଇ ବ୍ରିଟେନ୍‌ର ଗୃହ ମନ୍ତ୍ରୀ ପ୍ରୀତି ପଟେଲ୍‌ଙ୍କ କାର୍ଯ୍ୟାଳୟରେ ଆବେଦନ କରିସାରିଲେଣି। ତାଙ୍କ ଆବେଦନ ଗ୍ରହଣୀୟ କିମ୍ବା‌ ଖାରଜ ନହେବା ପର୍ଯ୍ୟନ୍ତ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ ନାହିଁ। ଦୀର୍ଘ ତିନି ବର୍ଷ ଧରି ବ୍ରିଟେନ୍‌ରେ ଆଇନ ଲଢ଼େଇ ଲଢ଼ୁଥିବା ମାଲ୍ୟାଙ୍କୁ ‌ତଳ କୋର୍ଟ ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ସବୁଠାରେ ଝଟ୍‌କା ଲାଗିଛି। ଭାରତୀୟ ବ୍ୟାଙ୍କଗୁଡ଼ିକର ୯୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟେନ୍‌ର ୱେଷ୍ଟମିନିଷ୍ଟର୍ସ ମାଜିଷ୍ଟ୍ରେଟ୍ ପ୍ରଥମେ ନିର୍ଦେଶ ଦେଇଥିଲେ। ତାହାକୁ ସେ ବ୍ରିଟେନ୍‌ର ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ହାଇକୋର୍ଟ କିନ୍ତୁ ତାଙ୍କୁ ଶକ୍ତ ଝଟ୍‌କା ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋ‌ଧରେ ସେ ସୁପ୍ରିମକୋର୍ଟ ଯିବାକୁ ଚାହୁଥିଲେ। କିନ୍ତୁ ‌ସେଥିପାଇଁ ଅନୁମତି ହାସଲ କରିବାରେ ସେ ବିଫଳ ହୋଇଛନ୍ତି। ପ୍ରତ୍ୟର୍ପଣ ଏଡ଼ାଇବା ଲାଗି ତାଙ୍କ ପାଖରେ ଏବେ କେବଳ ରାଜନୈତିକ ଆଶ୍ରୟ ବିକଳ୍ପଟି ରହିଯାଇଛି।

ବ୍ରିଟେନ୍‌ର ଜଣେ ଆଇନ ବିଶାରଦଙ୍କ ମତରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରି ମାଲ୍ୟା ପ୍ରତ୍ୟର୍ପଣକୁ କିଛି ମାସ ଏଡ଼ାଇ ପାରିବେ। କାରଣ ଏହି ପ୍ରକ୍ରିୟାରେ ଅନେକ ପ୍ରକାର ଆବେଦନ କରିବାକୁ ପଡ଼େ। ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଭାରତ ପଠାଯିବ ନାହିଁ। ଯଦି ବ୍ରିଟେନ୍ ଗୃହ ମନ୍ତ୍ରୀ ତାଙ୍କ ଆବେଦନକୁ ଖାରଜ କରିଦେବେ ତେବେ ସେହି ନିଷ୍ପତ୍ତି ବିରୋଧରେ ସେ ଏକ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିପାରିବେ। ଏହି ସବୁ ପ୍ରକ୍ରିୟା ଶେଷ ହେବା ଲାଗି ୧୮ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଯିବ। ଅତି ଚତୁରତାର ସହ ମାଲ୍ୟାଙ୍କ ଆଇନଜୀବୀ ଟିମ୍‌ ଏବେ ଏହି ବିକଳ୍ପକୁ ବ୍ୟବହାର କରିବାକୁ ବାହାରିଛନ୍ତି। ପ୍ରତ୍ୟର୍ପଣକୁ ଏଡ଼ାଇବା ଲାଗି ମାଲ୍ୟାଙ୍କ ପାଖରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି। ତାହା ହେଉଛି ୟୁରୋପୀୟ ମାନବାଧିକାର କୋର୍ଟ (ଇସିଏଚ୍‌ଆର୍‌)ଙ୍କ ନିକଟରେ ଆବେଦନ କରିବା।

ସମ୍ବନ୍ଧିତ ଖବର