ଭିଭୋର ଏହି ଫୋନଟି ୨୦୧୮ରେ ଚହଳ ପକାଇବ !

ଛାଡ଼ିବ ଇନ୍‌-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ଥିବା ସ୍ମାର୍ଟଫୋନ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ବଜାରରେ ଦିନକୁ ଦିନ ପ୍ରତିଯୋଗିତା ତୀବ୍ର ହେଉଥିବାବେଳେ ନୂଆ ନୂଆ ତଥା ଅଭିନବ ଟେକନଲୋଜୀ ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କମ୍ପାନିମାନେ ଉଦ୍ୟମ କରୁଛନ୍ତି । ଗତକାଲି ଆମେ ସାମସଙ୍ଗର ଡବଲ ସାଇଡ୍‌ ଡିସପ୍ଲେ ଫୋନ ବିଷୟରେ କହିଥିଲୁ । ଆଜି ଆଉ ଏକ ନୂଆ ଟେକନଲୋଜୀ ଆସୁଥିବା ବିଷୟ ଜଣାପଡିଛି । ତାହା ହେଉଛି ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସ୍କାନର । ଏହା ମାଧ୍ୟମରେ ସ୍ମାର୍ଟଫୋନରେ ସ୍ୱତନ୍ତ୍ର ଫିଙ୍ଗରପ୍ରିଣ୍ଟ ସ୍କାନର ନ ରହି ଡିସପ୍ଲେ ଉପରେ ରହିବ । ୨୦୧୮ରେ ଭିଭୋ ପକ୍ଷରୁ ଏପରି ଏକ ଫୋନ ବଜାରକୁ ଛାଡିବାକୁ ଯୋଜନା ଚାଲିଛି ।

ଏହି ବ୍ୟବସ୍ଥା ଥିବା ସ୍ମାର୍ଟଫୋନ ନିର୍ମାଣ ପାଇଁ କମ୍ପାନି ଆମେରିକା ଭିତ୍ତିକ ଟେକନଲୋଜୀ କମ୍ପାନି ସିନାପ୍‌ଟିକ୍‌ର ଅପଟିକାଲ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ବ୍ୟବହାର କରିବ । ସିନାପଟିକ ଦ୍ୱାରା ପ୍ୟାଟେଣ୍ଟ କରାଯାଇଥିବା ଏହି ଟେକନଲୋଜୀର ନା ହେଉଛି କ୍ଲିୟର ଆଇଡି । ଏହି ଟେକନଲୋଜୀ ବ୍ୟବହାର କରିବା ଦ୍ୱାରା ସ୍ମାର୍ଟଫୋନର ଡିସ୍‌ପ୍ଲେକୁ ସମ୍ପୂର୍ଣ୍ଣ ଭାବେ ବେଜେଲ୍‌ଲେସ୍‌ କରିହେବ । ଅର୍ଥାତ୍‌ ଫୋନର ଆଗପଟଟି ସମ୍ପୂର୍ଣ୍ଣ ଭାବେ ଡିସ୍‌ପ୍ଲେ ଦ୍ୱାରା କଭର ହୋଇ ରହିବ । ଫିଙ୍ଗର ପ୍ରିଣ୍ଟ ସ୍କାନର ପାଇଁ କୌଣସି ଅଲଗା ସ୍ଥାନ ରଖିବାକୁ ପଡିବ ନାହିଁ ।

କେବଳ ଭିଭୋ ନୁହେଁ ୨୦୧୮ରେ ଆଉ କେତେକ ଆଗୁଆ ସ୍ମାର୍ଟଫୋନ କମ୍ପାନି ଏପରି ଟେକନଲୋଜୀ ଥିବା ଫୋନ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ଭିଭୋ ଓ ଓପ୍ପୋ ଗୋଟିଏ ମୂଳ କମ୍ପାନିର ଭିନ୍ନ ଭିନ୍ନ ବ୍ରାଣ୍ଡ ହୋଇଥିବାରୁ ଓପ୍ପୋ ଫୋନରେ ମଧ୍ୟ ଏ ବ୍ୟବସ୍ଥା ରହିପାରେ । ତେବେ ଭିଭୋର ଏପରି ଫୋନ ବଜାରକୁ ଆସିଲେ ତାହା ଚହଳ ସୃଷ୍ଟି କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର