ସମ୍ପତ୍ତି ବିକି ଋଣ ଶୁଝିବ ଭୋଡାଫୋନ୍ ଆଇଡିଆ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ଏହାର ଋଣ ବୋଝ ହାଲୁକା କରିବା ପାଇଁ ଟାୱାର ଏବଂ ଅପ୍‌ଟିକାଲ୍ ଫାଇବର୍‌ ସମ୍ପତ୍ତିକୁ ବିକ୍ରି କରିବ। କଂପାନି ଉପରେ ୧ ଲକ୍ଷ ୨୩ ହଜାର ୬୬୦ କୋଟି ଟଙ୍କାର ଋଣ ବୋଝ ରହିଛି। ସମ୍ପତ୍ତି ବିକ୍ରି କରି ଏହି କଂପାନି ୨୦ ହଜାର କୋଟି ଟଙ୍କା ଜୁଟାଇବ ଓ ତାହାକୁ ଋଣ ଶୁଝିବା କାମରେ ବ୍ୟବହାର କରିବ।

ଇଣ୍ଡସ୍‌ ଟାୱାରରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ୧୧.୧୫% ଅଂଶଧନ ରହିଛି। ତାହାର ବର୍ତ୍ତମାନର ବଜାର ମୂଲ୍ୟ ହେଉଛି ୫୦୦୦ କୋଟି ଟଙ୍କା। ସେହିପରି ଦେଶରେ କଂପାନିର ୧.୫୬ ଲକ୍ଷ କିଲୋମିଟରର ଅପ୍ଟିକାଲ୍ ଫାଇବର୍‌ ସମ୍ପତ୍ତି ରହିଛି। ତେବେ ଏହି ସମ୍ପତ୍ତି ବିକ୍ରି ଖବରକୁ କଂପାନି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କଂପାନିର ଜଣେ ପ୍ରବକ୍ତା କହିଛନ୍ତି ଯେ, ସମ୍ପତ୍ତିରୁ ପାଣ୍ଠି ହାସଲ କରିବା ପାଇଁ ଆମେ କୌଣସି ପଦକ୍ଷେପ ନେଇନାହୁଁ। ତେବେ ରାଇଟ୍ ଇସ୍ୟୁ ଜରିଆରେ ବଜାରରୁ ୨୫ ହଜାର କୋଟି ଟଙ୍କା ହାସଲ କରିବାକୁ କଂପାନି ଯୋଜନା ରଖିଛି। ରାଇଟ୍‌ ଇସ୍ୟୁ ଜରିଆରେ ଭୋଡାଫୋନ୍ ୧୧ ହଜାର କୋଟି ଟଙ୍କା ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ୭୨୫୦ କୋଟି ଟଙ୍କା ନିବେଶ କରିବେ। ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଆଗମନ ପରେ ଟେଲିକମ୍ ବଜାରରେ ଅନେକ ମିଶ୍ରଣ ଦେଖିବାକୁ ମିଳିଛି। ସେହି ପ୍ରକ୍ରିୟାରେ ଭୋଡାଫୋନ୍ ଓ ଆଇଡିଆ ମଧ୍ୟରେ ମିଶ୍ରଣ ହୋଇଥିଲା। ଉଭୟ କଂପାନିର ମିଶ୍ରଣ ପରେ କଂପାନି ନାମ ବଦଳି ଭୋଡାଫୋନ୍ ଆଇଡିଆ ହୋଇଯାଇଛି।

ସମ୍ବନ୍ଧିତ ଖବର