ପୁରୁଷ-ମହିଳା ବେତନ ସମାନ ହେବାକୁ ୨୦୨ ବର୍ଷ ଲାଗିଯିବ

ଜେନେଭା: କାର୍ଯ୍ୟସ୍ଥଳରେ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମକକ୍ଷ ହେବାକୁ ହେଲେ ୨୦୨ ବର୍ଷ ଲାଗିଯିବ। ବିଶ୍ବ ଅର୍ଥନୈତିକ ଫୋରମ୍ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ୱାର୍ଲଡ ଜେଣ୍ଡର ଗ୍ୟାପ୍ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଗତ ବର୍ଷକ ମଧ୍ୟରେ ଏହି ପାର୍ଥକ୍ୟରେ ମାତ୍ର ୦.୧%ରୁ କମ୍ ସୁଧାର ଆସିଛି। ମହିଳା-ପୁରୁଷ ସମାନତାରେ ଆଇସଲ୍ୟାଣ୍ଡ ସର୍ବାଧିକ ୮୫.୫% ସ୍କୋର କରି ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ୬୬.୫% ସ୍କୋର କରି ୧୦୮ ନମ୍ବର ସ୍ଥାନରେ ରହିଛି।
ଚଳିତ ବର୍ଷ ରାଜନୀତି, ସ୍ବାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ରହିଥିବା ଅସମାନତାରେ ସାମାନ୍ୟ ସୁଧାର ଆସିଛି। ଏହି କ୍ଷେତ୍ରରେ ସମାନତା ଆସିବା ପାଇଁ ଆହୁରି ୧୦୮ ବର୍ଷ ଲାଗିଯିବ। ତାଲିକାର ପ୍ରଥମ ସ୍ଥାନରେ ଥିବା ଆଇସ୍‌ଲ୍ୟାଣ୍ଡ୍‌ରେ ରାଜନୈତିକ ସଶକ୍ତୀକରଣରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଅାସିଛି। ମାତ୍ର ଜନପ୍ରତିନିଧି, ବରି‌ଷ୍ଠ ଅଧିକାରୀ ଓ ମ୍ୟାନେଜର ସ୍ତରରେ ମହିଳାଙ୍କ ସ୍ଥିତିରେ ଅବନତି ହୋଇଛି। ସାରା ବିଶ୍ବରେ ମ୍ୟାନେଜର ସ୍ତରରେ ମାତ୍ର ୩୫% ମହିଳା ଅଛନ୍ତି। ମହିଳା ଓ ପୁରୁଷଙ୍କ ବେତନ ମଧ୍ୟରେ ଅନ୍ତର ଏହି ସ୍ତରରେ ୬୩% ରହିଛି। ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାରେ ସ୍ଥିତି ସବୁଠୁ ଖରାପ ରହିଛି। ବିଶ୍ବରେ ଏଭଳି ଗୋଟିଏ ହେଲେ ଦେଶ ନାହିଁ ଯାହା ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ସମାନତା ହାସଲ କରିପାରିଛି। ଏହା ହିଁ ଦୁନିଆର ସବୁଠୁ ବଡ଼ ସତ ବୋଲି ଜାତିସଂଘର ଅଧିକାରୀ ଆନ୍ନା-କୋରିନ୍ ଜେଟ୍‌ଫୋର୍ସ କହିଛନ୍ତି। ଏସିଆ ମହାଦେଶରେ ଲିଙ୍ଗ ସମାନତା କ୍ଷେତ୍ରରେ ଫିଲିପାଇନ୍ସର ପ୍ରଦର୍ଶନ ସବୁଠୁ ଭଲ ଅଛି।

ସମ୍ବନ୍ଧିତ ଖବର