ସରିଲା ଶିଳ୍ପ ମହାକୁମ୍ଭ, ୨୦୨୦କୁ ଅପେକ୍ଷା

ଓଡ଼ିଶା ବାୟୋଟେକ୍ ନୀତି ଘୋଷଣା, ଭାରତ ବାୟୋଟେକ୍ ନିବେଶ କରିବ ୫୦୦ କୋଟି

ଭୁବନେଶ୍ବର: କୃଷି ଉତ୍ପାଦନ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ଜଟିଳ ରୋଗର ନିଦାନ ଓ ଚିକିତ୍ସାରେ ବାୟୋଟେକ୍ନୋଲୋଜି ବା ଜୈବପ୍ରଯୁକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ‌ତେବେ ଏହି କ୍ଷେତ୍ରର ବିକାଶ ଲାଗି ଏକ ଉତ୍ତମ ସରକାରୀ ନୀତିର ଆବଶ୍ୟକତା ମଧ୍ୟ ରହିଛି। ପୂର୍ବରୁ ୨୦୧୬ରେ ରାଜ୍ୟ ସରକାର ଏକ ବାୟୋ‌ଟେକ୍ ନୀତି ପ୍ରସ୍ତୁତ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିକୁ ନଜରରେ ରଖି ଏଥିରେ ସଂଶୋଧନ ଆଣି ସରକାର ନୂଆ ବାୟୋଟେକ୍ ନୀତି-୨୦୧୮ ‌ଘୋ‌ଷଣା କରିଛନ୍ତି। କିଛିଦିନ ପୂର୍ବେ ରାଜ୍ୟ କ୍ୟାବିନେଟ ଏହି ନୀତିକୁ ମଞ୍ଜୁରି ଦେଇଥିବାବେଳେ ଆଜି ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ-୨୦୧୮ର ଶେଷଦିନରେ ନୂଆ ନୀତିକୁ ଉନ୍ମୋଚନ କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନୂଆ ନୀତିର ଉନ୍ମୋଚନ କରିଛନ୍ତି। ଏଥିସହିତ ଜୈବପ୍ରଯୁକ୍ତି କ୍ଷେତ୍ରର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ତଥା ଆଇଆଇଏସ୍‌, ବାଙ୍ଗାଲୋରର ପ୍ରଫେସର ପଦ୍ମଭୂଷଣ ଜି. ପଦ୍ମନାଭନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଏକ ପଲିସି ଭିଜନ ଉପଦେଷ୍ଟା ଗ୍ରୁପ୍ ‌ଗଠନ ଘୋଷଣା କରିଛନ୍ତି। ବାୟୋଟେକ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଫେସର ପଦ୍ମନାଭନ ୬ଟି ସୁପାରିସ କରିଛନ୍ତି। ସେଗୁଡ଼ିକ ହେଲା ଛୁଞ୍ଚି ବିହୀନ (ନିଡିଲ୍‌ଲେସ୍) ଟୀକାକରଣର ପ୍ରସାର, ନାନୋବଡିଜ୍‌ର ବିକାଶ, ବାୟୋମାସ୍‌କୁ ବିଭିନ୍ନ ଗ୍ୟାସ ଓ ରସାୟନିକ ପଦାର୍ଥରେ ରୂପାନ୍ତର, ଜିନ୍ ଏଡିଟିଂ, ଜୈବିକ ପଦ୍ଧତିରେ ମ୍ୟାଲେରିଆର ଦୂରୀକରଣ ଓ ସିନ୍ଥେଟିକ୍ ବାୟୋଲୋଜିର ଉପଯୋଗ। ଭାରତ ବାୟୋଟେକ୍ ପକ୍ଷରୁ ଖୋର୍ଦ୍ଧାଠାରେ ସ୍ଥାପିତ ବାୟୋଟେକ୍ ପାର୍କରେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ବାୟୋଟେକ୍‌ ଏହାର ନିବେଶକୁ ୫୦୦ କୋଟି ଟଙ୍କାରେ ପହଞ୍ଚାଇବ ବୋଲି ଏହି ସଂସ୍ଥାର ପ୍ରତିଷ୍ଠାତା ଡକ୍ଟର କ୍ରିଷ୍ଣା ଏଲା କହିଥିଲେ। ଭୁବନେଶ୍ବର ପୂର୍ବ ଭାରତର ଶିକ୍ଷା ରାଜଧାନୀରେ ପରିଣତ ହୋଇଛି। ଏଠାରେ ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, ନାଇଜର୍, ଆଇଆଇଟି, ଏମ୍ସ, ଆଇଏଲ୍‌ଏସ୍‌ ଭଳି ଉଚ୍ଚ ‌ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ରହିଛି। ଏହି ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ବୟ ରଖାଯାଇ ଗବେଷଣା କରାଗଲେ ରାଜ୍ୟରେ ବାୟୋଟେକ୍ ଶିଳ୍ପର ବିକାଶ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ। ବାୟୋଟେକ୍ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ଜାନୁଆରି ବେଳକୁ କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜନ ହେବ ବୋଲି ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଥିଲେ। ରାଜ୍ୟରେ ଏପର୍ଯ୍ୟନ୍ତ ୫ଟି ବାୟୋଟେକ୍ ଷ୍ଟାର୍ଟଅପ୍ ପ୍ର୍ରତିଷ୍ଠା ହୋଇଛି। ଆ‌ଜିର ବାୟୋଟେକ୍ ଅଧିବେଶନରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ , ଉନ୍ନୟନ କମିସନର ଆର. ବାଲକ୍ରିଷ୍ଣନ ଯୋଗଦେଇଥିଲେ।

କ’ଣ ମିଳିଲା
ଲକ୍ଷ୍ୟ ଠାରୁ ଦେଢ଼ ଗୁଣା ଅଧିକ ନିବେଶ ପ୍ରତିଶ୍ରୁତି ମିଳିଲା
୫ ଲକ୍ଷ ୯୧ ହଜାର କୋଟିର ନିଯୁକ୍ତି ସୃ‌ଷ୍ଟି ସମ୍ଭାବନା
ଆସିଲା ମୋଟ ୧୮୩ଟି ନିବେଶ ପ୍ରସ୍ତାବ
ରିଲାଏନ୍ସ ଜିଓ ଖଟାଇବ ୩ ହଜାର କୋଟି
ହଲଦିଆ ପେଟ୍ରୋକେମିକାଲ୍ସ ଖଟାଇବ ୭୦ ହଜାର କୋଟି
ସେଲ୍ ନିବେଶ କରିବ ୪୧ ହଜାର କୋଟି
ମିଶନ ଶକ୍ତିକୁ ସରକାର ଦେବେ ସ୍ମାର୍ଟଫୋନ୍
ଓଡ଼ିଶା ଦେବ ଜୁନିଅର ରିସର୍ଚ ଫେଲୋସିପ୍
ସୂଚନା ପ୍ରଯୁକ୍ତିରେ ୩୯୦୦ କୋଟିର ପ୍ରସ୍ତାବ
କୃଷି-ବିପଣନ ପାଇଁ ୧୪୧୨ କୋଟି
ଖଣିଜ, ଧାତୁ ଓ ଆନୁଷଙ୍ଗିକ ପାଇଁ ୨.୩୬ ଲକ୍ଷ କୋଟି
୨୦ କଳାକାର, ୫୦ ଟେକ୍ନିସିଆନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

ସଙ୍ଗୀତରେ ଭିଜିଲେ ଜନତା
ଭୁବନେଶ୍ବର: ପାଞ୍ଚ ଦିନ ଧରି ଚାଲିଥିବା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୧୮’ ଆଜି ଶେଷ ହୋଇଛି। ଶେଷ ସନ୍ଧ୍ୟାରେ ‘ଇଣ୍ଡିଆନ୍‌ ଓସନ୍‌’ ମ୍ୟୁଜିକାଲ୍‌ ବ୍ୟାଣ୍ଡ୍‌ର ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ସଙ୍ଗୀତ ଜନତା ମୈଦାନରେ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଛି। କଣ୍ଠଶିଳ୍ପୀ ରାହୁଲ ରାମ, ଅମିତ୍‌ ଚିଲମ୍‌, ହିମାଂଶୁ ଯୋଶୀଙ୍କ ଯାଦୁଭରା ଗୀତରେ ଦର୍ଶକ ଝୁମିଥିଲେ। ନୁସ୍‌ରତ ଫତେହ୍‌ ଅଲ୍ଲୀ ଖାଁଙ୍କ ମନଛୁଆଁ ଗୀତଠୁ ଆରମ୍ଭ କରି ‘ପିପ୍‌ଲି ଲାଇଭ୍‌’ର ପ୍ରସିଦ୍ଧ ଗୀତ ‘ଦେଶ୍‌ ମେରା ରଙ୍ଗ୍‌ରେଜ୍‌ ବାବୁ…..’ଗୀତରେ ଦର୍ଶକ ମଜିଥି‌ଲେ। ସେହିଭଳି ସାଂପ୍ରଦାୟିକ ସଦ୍‌ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ରୁକ୍‌ ଯାରେ ବନ୍ଦେ, ଥମ୍‌ ଯାରେ ବନ୍ଦେ….’, ‘ମଶାନ୍‌’ ଚଳଚ୍ଚିତ୍ରର ପ୍ରସିଦ୍ଧ ପ୍ରେମ ସଙ୍ଗୀତ ‘ତୁ କିସି ରେଲ୍‌ସି ଗୁଜର୍‌ତି ହୈ….’, ନର୍ମଦା‌ ନଦୀକୁ ନେଇ ରଚିତ ପ୍ରସିଦ୍ଧ ଭଜନ ‘ଖଲ୍‌ ଖଲ୍‌ ବହେତୋ… ଭଳି ଗୀତ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ହିମାଚଳ ପ୍ରଦେଶର ଟ୍ରାଇବାଲ୍‌ ଫୋକ୍‌ ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ସଙ୍ଗୀତ ସହିତ ବିଭିନ୍ନ ପ୍ରାନ୍ତୀୟ ଫୋକ୍‌କୁ ନେଇ ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ସଙ୍ଗୀତ ମଧ୍ୟ ଆଜି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା। ଏହିଭଳି ଭାବେ ରଙ୍ଗବେରଙ୍ଗର ଆଲୋକମାଳା ସହିତ ଆକର୍ଷଣୀୟ ସଙ୍ଗୀତ ମାଧ୍ୟମରେ ‘ମେକ୍‌ ଇନ୍‌ ଓଡ଼ିଶା-୨୦୧୮’ରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ସମ୍ବନ୍ଧିତ ଖବର