ଏକ ଛୋଟିଆ ଘରୁ ଆରମ୍ଭ ହୋଇଥିବା ଫ୍ଲିପକାର୍ଟ ଏବେ ୧ ଲକ୍ଷ ୩୪ ହଜାର କୋଟିର କମ୍ପାନି

ବାଙ୍ଗାଲୋର : ଆମେରିକାର ବୃହତ୍ତମ ରିଟେଲ କମ୍ପାନି ଓ୍ଵାଲମାର୍ଟ ଭାରତର ବୃହତ୍ତମ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ଅଧିଗ୍ରହଣ କରିିଛି । ଓ୍ଵାଲମାର୍ଟ ପ୍ରାୟ ୧୬ ବିଲିୟନ ଡଲାର ବିନିମୟରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ ଖରିଦ କରିଛି । ଏହି ଅଧିଗ୍ରହଣ ପରେ ଏବେ ଭାରତୀୟ ବଜାରରେ ଦୁଇଟି ଆମେରିକୀୟ ରିଟେଲ କମ୍ପାନି ଆମାଜନ ଓ ଓ୍ଵାଲମାର୍ଟ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବ ।

ଫ୍ଲିପକାର୍ଟ କମ୍ପାନିର ମୋଟ ମୂଲ୍ୟାଙ୍କନ ୨୦ ବିଲିୟନ ଡଲାର ହୋଇଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୧ ଲକ୍ଷ ୩୪ ହଜାର କୋଟି । ୨୦୦୭ରେ ମାତ୍ର ଦୁଇ ବେଡ୍‌ରୁମ ବିଶିଷ୍ଟ ଏକ ଫ୍ଲାଟରେ ଆରମ୍ଭ ହୋଇଥିବା ଏହି କମ୍ପାନି ଏବେ ସଫଳତାର ଶିଖରକୁ ଛୁଇଁଛି । ଆଇଆଇଟି ଦିଲ୍ଲୀର ଦୁଇଜଣ ଛାତ୍ର ତଥା ଆମାଜନର ପୂର୍ବତନ କର୍ମଚାରୀ ସଚିନ ବନସଲ ଓ ବିନି ବନସଲ ଏହାକୁ ଆରମ୍ଭ କରିଥିଲେ । ବାଙ୍ଗାଲୋରର କୋରମଙ୍ଗଲାରେ ଏକ ଦୁଇ ବେଡରୁମ ଫ୍ଲାଟରୁ ଏକ ଅନଲାଇନ ବୁକ ଷ୍ଟୋର ଭାବେ ଏହା ଆରମ୍ଭ ହୋଇଥିବା କମ୍ପାନି ଏବେ ଭାରତର ବୃହତ୍ତମ ଇ-କମର୍ସ କମ୍ପାନିରେ ପରିଣତ ହୋଇଛି । ୨୦୦୮ରେ ଏହା ବାଙ୍ଗାଲୋରରେ ନିଜର ପ୍ରଥମ ଅଫିସ ଖୋଲିଥିଲା ଓ ୨୦୦୯ରେ ଦିଲ୍ଲୀ ଓ ମୁମ୍ବାଇରେ ଏହା ନିଜର ଅଫିସ ଖୋଲିଲା । ଏବେ ବାଙ୍ଗାଲୋରରେ ଥିବା ଫ୍ଲିପକାର୍ଟ ଅଫିସ ପ୍ରାୟ ୮.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ରହିଛି । ଏବେ ଏହା ଅଧିନରେ ଫେସନ ପୋର୍ଟାଲ ଜାବଙ୍ଗ ଓ ମିଣ୍ଟ୍ରା, ପେମେଣ୍ଟ ଆପ ଫୋନପେ ଓ ଲଜିଷ୍ଟିକ୍ସ ଫାର୍ମ ଇ-କାର୍ଟ ରହିଛି ।

ସମ୍ବନ୍ଧିତ ଖବର