ବେଙ୍ଗାଲୁରୁ: ଫ୍ଲିପ୍କାର୍ଟକୁ କିଣିବା ପାଇଁ ଆମେରିକାର କଂପାନି ୱାଲମାର୍ଟ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲା। ପ୍ରଥମେ ୱାଲ୍ମାର୍ଟ ପକ୍ଷରୁ ପୁଞ୍ଜିନିବେଶ ପାଇଁ ଫ୍ଲିପ୍କାର୍ଟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। କିଛି ଦିନ ପରେ ଆଲୋଚନା ଭିନ୍ନ ମୋଡ଼ ନେଇଥିଲା। ଯେଉଁ ଆଲୋଚନା ପୁଞ୍ଜିନିବେଶ ପାଇଁ ଆରମ୍ଭ ହୋଇଥିଲା ତାହା ଅଧିଗ୍ରହଣରେ ଶେଷ ହେଲା। ଏହା କହିଛନ୍ତି ଫ୍ଲିପ୍କାର୍ଟର ଅନ୍ୟତମ ପ୍ରତିଷ୍ଠାତା ସଚିନ୍ ବଶଂଲ। ଫ୍ଲିପ୍କାର୍ଟକୁ ୱାଲ୍ମାର୍ଟ କିଣିନେବାର କିଛି ଦିନ ପରେ ସଚ୍ଚିନଙ୍କୁ ଫ୍ଲିପ୍କାର୍ଟକୁ ବିଦା କରାଯାଇଥିଲା। ଏଭଳି କ’ଣ ଘଟଣା ଘଟିଲା ଯେଉଁଥି ପାଇଁ ତାଙ୍କୁ କଂପାନିରୁ ବିଦା ହେବାକୁ ପଡ଼ିଥିଲା ତାହା ରହସ୍ୟମୟ ହୋଇରହିଛି। ତେବେ ବେଙ୍ଗାଲୁରୁରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କ ପ୍ରଶ୍ନର ଉତ୍ତରରେ ସଚ୍ଚିନ ଅନେକ ପ୍ରସଙ୍ଗ ଉପରୁ ପରଦା ଉଠାଇଛନ୍ତି। ଫ୍ଲିପ୍କାର୍ଟରୁ ବିଦାୟ ନେବା ବିଷୟରେ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସଚ୍ଚିନ କହିଛନ୍ତି ଯେ, ଯେତେବେଳେ ୱାଲ୍ମାର୍ଟ ଆମ କଂପାନିକୁ କିଣିନେଲା ସେତେବେଳେ ଅନେକ ପ୍ରଶ୍ନ ମୋ ମନକୁ ଆସିଥିଲା। ମୁଁ କଂପାନି ପାଇଁ କେତେ ଦରକାରୀ? ମୋ ପାଇଁ କିଛି ଭୂମିକା ଅଛି ନା ନାହିଁ? ଯଦି ମୁଁ ନରହୁଛି ତେବେ କଂପାନି ସଫଳତା ହେବ କି ନାହିଁ?
ଉଲ୍ଲେଖଯୋଗ୍ୟ, ଫ୍ଲିପ୍କାର୍ଟର ୭୭% ଅଂଶଧନକୁ ୧୬ ବିଲିଅନ୍ ଡଲାରରେ ୱାଲ୍ମାର୍ଟ କିଣିନେଇଛି। ଫ୍ଲିପ୍କାର୍ଟକୁ ସଚ୍ଚିନ ଓ ବିନ୍ନି ବଶଂଲ ପ୍ରତିଷ୍ଠା କରିଥିଲେ। ୱାଲ୍ମାର୍ଟ ସହ ଡିଲ୍ ହେବା ପୂର୍ବରୁ ବିନ୍ନି କଂପାନିରୁ ବିଦାୟ ନେଇଥିଲେ। ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବାର କିଛି ଦିନ ପରେ ସଚ୍ଚିନଙ୍କୁ କଂପାନିରୁ ବିଦାୟ ନେବାକୁ ପଡ଼ିଥିଲା।